ହୋଶିଆରପୁର: ଅପମାନ ସହି ନପାରି ଜୀବନ ହାରିଲେ ଏଏସଆଇ। ପଞ୍ଜାବର ହୋଶିଆରପୁରରେ ଜଣେ ବରିଷ୍ଠ ଅଧିକାରୀ ଅପମାନିତ କରିବା ସହ ନିର୍ଯ୍ୟାତନା ଦେଉଥିବାରୁ ଶନିବାର ସକାଳେ ଜଣେ ଏଏସ୍ଆଇ ପୁଲିସ୍ ଷ୍ଟେସନ ଭିତରେ ଜୀବନ ହାରିଥିବା ଜଣାପଡ଼ିଛି। ସେ ନିଜର ସେବା ରିଭଲଭର ସାହାଯ୍ୟରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ ମଧ୍ୟ ରେକର୍ଡ କରିଥିଲେ ଯେଉଁଥିରେ ସେ ଏତେ ବଡ ପଦକ୍ଷେପ ନେବା ପାଇଁ ପଛର କାରଣ ଦର୍ଶାଇଥିଲେ।
ସୂଚନା ମୁତାବକ, ହୋଶିଆରପୁର ଜିଲ୍ଲାର ହରିୟାଣା ପୁଲିସ ଷ୍ଟେସନରେ ମୁତୟନ ହୋଇଥିବା ଏଏସଆଇ ସତୀଶ କୁମାର ଭିଡିଓରେ କହିଥିଲେ ଯେ, ଟାଣ୍ଡା ପୁଲିସ ଷ୍ଟେସନର ଦାୟିତ୍ୱରେ ଥିବା ଏସଏଚଓ ଓଙ୍କାର ସିଂହ ଗୁରୁବାର ଯାଞ୍ଚ ସମୟରେ ମୋ ସହ ଦୁର୍ବ୍ୟବହାର କରିଥିଲେ। ଏଭଳି ଅପମାନିତ କରିବା ପରେ ମୁଁ ତାଙ୍କୁ କହିଥିଲି ଯେ ମୋତେ ଏହିପରି ଅପମାନିତ କରିବା ପରିବର୍ତ୍ତେ ମୋତେ ଗୁଳି ମାରିଦେବା ଭଲ ହେବ। ପରଦିନ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ମାମଲାଗୁଡ଼ିକ ବିଷୟରେ ସେ ମୋତେ ପଚାରିଥିଲେ। ମୁଁ ତାଙ୍କୁ କହିଥିଲି ଯେ କେବଳ ଗୋଟିଏ ମାମଲା ଅଛି ଯାହା ଉପରେ ମୁଁ କାର୍ଯ୍ୟ କରୁଛି ଏବଂ ଅନ୍ୟ ମାମଲାର ବିବରଣୀ ସମ୍ପୃକ୍ତ ଅନୁସନ୍ଧାନକାରୀଙ୍କଠାରୁ ମିଳିପାରିବ। ଏହା ଶୁଣି ସେ ମୋତେ ଅପମାନିତ କରିଥିଲେ। ଏହା ସହ ରେକର୍ଡ ବୁକରେ ମୋ ବିରୋଧରେ ଅଭିଯୋଗ ମଧ୍ୟ କରିଥିଲେ। ଭିଡିଓରେ କୁମାର କହିଛନ୍ତି ଯେ ଏହି ଘଟଣା ପରେ ମୁଁ ମୋ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଛି।
ଏହି ଘଟଣା ପରେ ଅଭିଯୁକ୍ତ ଏସଏଚଓଙ୍କୁ ପୁଲିସ ଲାଇନକୁ ସ୍ଥାନାନ୍ତର କରାଯାଇଛି ଏବଂ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା ପରେ ହୋଶିଆରପୁର ବରିଷ୍ଠ ପୁଲିସ ଅଧୀକ୍ଷକ ସରତାଜ ସିଂ ଚହଲ କନିଷ୍ଠ କର୍ମଚାରୀଙ୍କୁ କହିଛନ୍ତି ଯେ, ଯଦି କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ମୋ ସହ ଯୋଗାଯୋଗ କରନ୍ତୁ।