କେରଳ ପରେ ପଞ୍ଜାବ ବିଧାନସଭାରେ ନାଗରିକତା ଆଇନ ବିରୋଧରେ ସଂକଳ୍ପ ଗୃହୀତ

ଚଣ୍ଡିଗଡ଼ : ଗତ ଡିସେମ୍ବର ମାସରେ ସଂସଦରେ ଗୃହୀତ ହୋଇ ଆଇନରେ ପରିଣତ ହୋଇଥିବା ନାଗରିକତା (ସଂଶୋଧନ) ଆଇନକୁ ନେଇ ବିବାଦ ଥମିବାର ନାଁ ଧରୁ ନାହିଁ । କେରଳ ପରେ ଆଉ ଏକ ରାଜ୍ୟ ପଞ୍ଜାବ ବିଧାନସଭାରେ ଏହି ଆଇନ ବିରୋଧରେ ଏକ ସଂକଳ୍ପ ଗୃହୀତ ହୋଇଛି ।
ବାଚନିକ ଭୋଟରେ ଏହି ସଂକଳ୍ପ ପଞ୍ଜାବ ବିଧାନସଭାରେ ଗୃହୀତ ହୋଇଛି । ଏହାଛଡ଼ା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ଏହି ଆଇନ ବିରୋଧରେ ପଞ୍ଜାବ ସରକାର ସୁପ୍ରିମକୋର୍ଟ ଯିବେ । ସେ କହିଛନ୍ତି ଯେ ଏହି ଆଇନ ପଞ୍ଜାବରେ ଲାଗୁ ହେବାକୁ ହେଲେ ଏଥିରେ ଆବଶ୍ୟକ ସଂଶୋଧନ କରିବାକୁ ହେବ । ବିଧାନସଭାରେ କଂଗ୍ରେସ ଓ ଆପ ସଦସ୍ୟମାନେ ଏହାକୁ ସମର୍ଥନ କରିଥିବାବେଳେ ବିଜେପି ବିରୋଧ କରିଥିଲା । ବିଜେପି ସହଯୋଗୀ ଦଳ ଅକାଳି ଦଳ ମଧ୍ୟ ଏହି ଆଇନରେ ମୁସଲିମ ମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛି ।

ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । କିନ୍ତୁ ଏହା ସମ୍ବିଧାନର ବିରୋଧୀ କହି ଆନ୍ଦୋଳନ କରୁଛନ୍ତି ବିରୋଧୀଦଳ ଓ କେତେକ ସାମାଜିକ ସଂଗଠନ ।

ସମ୍ବନ୍ଧିତ ଖବର