ଅମୃତସର ବିସ୍ଫୋରଣ ଘଟଣା : ମୁମ୍ବାଇ ହାମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ସମ୍ପୃକ୍ତି ଥିବା ନେଇ ଏନଆଇଏର ସୂଚନା

ବିସ୍ଫୋରଣ ପଛରେ ପାକିସ୍ତାନର ହାତ ସନ୍ଦେହ

ଅମୃତସର : ପଂଜାବର ଅମୃତସରରେ ଘଟିଥିବା ବିସ୍ଫୋରଣ ଘଟଣାରେ ଏନଆଇଏକୁ ମିଳିଲା ନୂଆ ତଥ୍ୟ । ବିସ୍ଫୋରଣରେ ବ୍ୟବହାର ହୋଇଛି ଏଚଇ-୩୬ ସିରିଜର ଗ୍ରେନେଡ୍ । ଯାହା ପାକ୍ ଆର୍ମି ବ୍ୟବହାର କରେ । କେବଳ ଏତିକି ନୁହେଁ ଏହା ପଛରେ ମୁମ୍ବାଇ ହାମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ଭୂମିକା ଥିବା ମଧ୍ୟ ସୂଚନା ମିଳିଛି । ଖଲିସ୍ତାନ ସମର୍ଥକ ଆତଙ୍କୀ ଗୋପାଳ ସିଂହ ଚାୱଲା, ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଓ ହାଫିଜ ସୟିଦ ସହ ମିଶି ପଂଜାବରେ ଆତଙ୍କ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରୁଥିବା ଏନଆଇଏକୁ ସୂଚନା ମିଳିଛି । ସେପଟେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି ।

ପଂଜାବର ଅମୃତସରରେ ଏକ ପ୍ରାର୍ଥନା ସଭାରେ ଗ୍ରେନେଡ ଆକ୍ରମଣ ଯୋଗୁଁ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ୨୦ ଜଣ ଆହତ ହୋଇଥିଲେ। ଏହି ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ସଂସ୍ଥାକୁ ମିଳିଛି ଏହି ସାଂଘାତିକ ତଥ୍ୟ। ଏହି ବିସ୍ଫୋରଣ ପଛରେ ମୁମ୍ବାଇ ହାମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ସମ୍ପୃକ୍ତି ଥିବା ନେଇ ଏନଆଇଏ ସୂଚନା ଦେଇଛି । ଦିଲ୍ଲୀର ଯାଂଚ ଏଜେନ୍ସି ମାନଙ୍କୁ ନେଇ ବସିଥିବା ବୈଠକରେ ପାକିସ୍ତାନରେ ଥିବା ଖଲିସ୍ତାନ ସମର୍ଥକ ଆତଙ୍କୀ ଗୋପାଳ ସିଂହ ଚାୱଲାଙ୍କୁ ନେଇ ଅନେକ ସୂଚନା ଦିଆଯାଇଥିଲା । ଗୋପାଳ ସିଂହ ଚାୱଲା ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଓ ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦ ସହ ମିଶି ପଂଜାବରେ ଆତଙ୍କ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରୁଥିବା ସୂତ୍ରରୁ ଜଣାପଡିଛି ।

କିଛି ମାସ ପୂର୍ବରୁ ମଧ୍ୟ ଖଲିସ୍ତାନ ସମର୍ଥକ ଆତଙ୍କୀ ଗୋପାଳ ସିଂହ ଚାୱଲା ଓ ହାଫିଜ ସୟିଦ ମଧ୍ୟରେ ବୈଠକ ହୋଇଥିବା ଗୁଇନ୍ଦା ସୂଚନା ମିଳିଥିଲା । ସେପଟେ ନରଙ୍କାର ସତସଙ୍ଗ ଭବନକୁ ବାଇକରେ ଆସି ଗ୍ରେନେଡ ବିସ୍ଫୋରଣ କରିଥିବା ୨ ସନ୍ଦିଗ୍ଧଙ୍କ ଚେହେରା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହାର ଯାଂଚ ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର