ଫିଲିପାଇନ୍ସରେ ପଞ୍ଜାବ ଦମ୍ପତିଙ୍କୁ ଗୁଳି କରି ହତ୍ୟା; ନିକଟରେ ସ୍ବାମୀଙ୍କ ପାଖକୁ ଯାଇଥି‌ଲେ ସ୍ତ୍ରୀ

ମନିଲା: ଶନିବାର ରାତିରେ ଫିଲିପାଇନ୍ସ ରାଜଧାନୀ ମାନିଲାରେ ପଞ୍ଜାବର ଜଳନ୍ଧରର ଏକ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଦମ୍ପତି ହେଉଛନ୍ତି ସୁଖବିନ୍ଦର ସିଂ (୪୧) ଏବଂ କିରଣଦୀପ କୌର (୩୩)। ସୁଖବିନ୍ଦର ଗତ ୧୯ ବର୍ଷ ଧରି ମାନିଲାରେ ରହୁଥିବା ବେଳେ ତାଙ୍କ ପତ୍ନୀ ନିକଟରେ ସେଠାକୁ ଯାଇଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସୁଖବିନ୍ଦରଙ୍କ ବଡ ଭାଇ ଲକ୍ଷଭୀର ସିଂ ମଧ୍ୟ ତାଙ୍କ ଭାଇଙ୍କ ସହ ରହୁଥିଲେ, କିନ୍ତୁ ଘଟଣା ସମୟରେ ପାରିବାରିକ କାର୍ଯ୍ୟ ପାଇଁ ସେ ଭାରତକୁ ଆସିଥିଲେ। ସୋମବାର ବିଳମ୍ବିତ ରାତିରେ ଜଲନ୍ଧରର ମେହସାମପୁର ଗ୍ରାମରେ ଥିବା ମୃତ ଦମ୍ପତିଙ୍କ ପରିବାର ଲୋକେ ଏହି ଘଟଣା ବିଷୟରେ ଜାଣିଥିଲେ।

ଘଟଣା ସଂପର୍କରେ ଏକ ଭିଡିଓରେ ଦର୍ଶାଯାଇଛି ଯେ ସୁଖବିନ୍ଦର କାମରୁ ଫେରିବା ପରେ ମୃତ ଦମ୍ପତିଙ୍କ ଘରେ ଜଣେ ଅଜଣା ଆକ୍ରମଣକାରୀ ପ୍ରବେଶ କରିଥିଲେ । ଆକ୍ରମଣକାରୀ କିରଣଦୀପଙ୍କ ଉପରେ ଦୁଇଟି ଗୁଳି ଚଳାଇବା ପୂର୍ବରୁ ସୁଖବିନ୍ଦରଙ୍କ ଉପରେ ଏକାଧିକ ଗୁଳି ଚଳାଇଥିଲେ।

ଏହି ଘଟଣା ସମ୍ପର୍କରେ ଲକ୍ଷଭୀର କହିଛନ୍ତି, ‘ରବିବାରଠାରୁ ଆମେ ତାଙ୍କୁ ବାରମ୍ବାର ଫୋନ୍ କରୁଥିଲୁ, କିନ୍ତୁ ସେ କୌଣସି ଉତ୍ତର ଦେଉ ନଥିଲେ। ମୁଁ ମୋ ମାମୁଙ୍କୁ ଯାଇ ତାଙ୍କୁ ଦେଖି ଆସିବାକୁ କହିଲି,  ସେ ଯାଇ ମୋ ଭାଇ ଏବଂ ତାଙ୍କ ପତ୍ନୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଲେ।’

ଲକ୍ଷଭୀର ଆହୁରି ବି କହିଛନ୍ତି ଯେ ତାଙ୍କ ପରିବାରର କାହା ସହିତ ବି ଶତ୍ରୁତା ନଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଚାହୁଁଛୁ ଯେ ଭାରତୀୟ କର୍ତ୍ତୃପକ୍ଷ ଫିଲିପାଇନ୍ସରେ ଥିବା ପ୍ରତିପକ୍ଷଙ୍କ ସହ ଏହି ମାମଲା ସଂପର୍କରେ କଥା ହୁଅନ୍ତୁ। ଫଳରେ ଅଭିଯୁକ୍ତକୁ ଶୀଘ୍ର ଧରାଯାଇପାରିବ।

ସମ୍ବନ୍ଧିତ ଖବର