ପଞ୍ଜାବ : ବିଜେପି ନେତାଙ୍କୁ ବନ୍ଧକ ରଖିଲେ ଆନ୍ଦୋଳନକାରୀ କୃଷକ, ୧୨ ଘଣ୍ଟା ପରେ ଉଦ୍ଧାର କଲା ପୁଲିସ୍

ଚଣ୍ଡିଗଡ଼ : ପଂଜାବର ରାଜାପୁରା ଗ୍ରାମରେ ଆନ୍ଦୋଳନକାରୀ କୃଷକ ସଂଗଠନର ସଦସ୍ୟମାନେ କିଛି ବିଜେପି ନେତାଙ୍କୁ ପ୍ରାୟ ୧୨ ଘଣ୍ଟା ବନ୍ଧକ ରଖିବା ପରେ ମୁକ୍ତ କରିଦେଇଛନ୍ତି । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ପୁଲିସ ବିଜେପି ନେତାମାନଙ୍କୁ ମୁକ୍ତ କରିଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ ରବିବାର ପଂଜାବ ବିଜେପିର ମହାସଚିବ ଭୂପେଶ ଅଗ୍ରଓ୍ବାଲଙ୍କ ସମେତ ଆଉ କିଛି ନେତା କର୍ମୀ ଏକ ଦଳୀୟ ବୈଠକ ପାଇଁ ରାଜାପୁରାରେ ଏକତ୍ରିତ ହୋଇଥିଲେ । ଏହା ବୈଠକ ସମ୍ପର୍କରେ ଖବର ପାଇଁ ଆନ୍ଦୋଳନକାରୀ କୃଷକମାନେ ସେଠାରେ ପହଞ୍ଚି ଉକ୍ତ ବୈଠକ ସ୍ଥଳରେ ଭଙ୍ଗାରୁଜା କରିଥିଲେ । ପରେ ସେମାନେ ଆଉ ଏକ ଘରେ ବୈଠକ କରୁଥିବାବେଳେ ଆନ୍ଦୋନକାରୀମାନେ ସେଠାରେ ପହଞ୍ଚି ଅଗ୍ରଓ୍ବାଲ ଓ ଅନ୍ୟମାନଙ୍କୁ ବନ୍ଧକ ରଖିଥିଲେ । ସେମାନେ ପ୍ରାୟ ୧୨ ଘଣ୍ଟା ବନ୍ଧକ ରହିବା ପରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମୁକ୍ତ ହୋଇଥିଲେ ।

ଆନ୍ଦୋଳନକାରୀମାନେ ବିଜେପି ନେତାମାନଙ୍କୁ ମାଡ଼ ମାରିଥିବା ଅଗ୍ରଓ୍ବାଲ ଅଭିଯୋଗ କରିଛନ୍ତି । ତେବେ ସେମାନଙ୍କ ଉପରେ ଆକ୍ରମଣ ହୋଇନଥିବା ସ୍ଥାନୀୟ ପୁଲିସ କହିଛି । ଅନ୍ୟପକ୍ଷରେ କୃଷକ ନେତା ପ୍ରେମ ସିଂ ଭାଙ୍ଗୁ କହିଛନ୍ତି ଯେ ଅଗ୍ରଓ୍ବାଲ ସେମାନଙ୍କୁ ଉତ୍ତେଜିତ କରିଥିଲେ ।

 

ସମ୍ବନ୍ଧିତ ଖବର