କାର୍ଗିଲ ଯୁଦ୍ଧରେ ଶତ୍ରୁ ସୈନିକଙ୍କୁ ନିହତ କରିଥିବା ସତ୍‌ପାଲ ଟ୍ରାଫିକ୍‌ କନେଷ୍ଟବଳ ଥିବା ଜାଣି ତୁରନ୍ତ ପଦୋନ୍ନତି ଦେଲେ ଅମ୍ରିନ୍ଦର ସିଂହ

ନୂଆଦିଲ୍ଲୀ : ଆଜି କାର୍ଗିଲ ବିଜୟ ଦିବସ ପାଳନ କରାଯାଉଥିବା ବେଳେ ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ୨୦ବର୍ଷ ପୂର୍ତ୍ତି ଅବସରରେ ଦେଶର ଅନେକ ସ୍ଥାନରେ କାର୍ଗିଲ ଯୁଦ୍ଧ ସମୟରେ ଦେଶକୁ ରକ୍ଷା କରିଥିବା ଯବାନଙ୍କ କାହାଣୀ ସାମ୍ନାକୁ ଆସିଛି । ଏ ମଧ୍ୟରେ ପଞ୍ଜାବର ସଙ୍ଗରୁର୍‌ରେ ଟ୍ରାଫିକ କନେଷ୍ଟବଳ ଭାବେ କାମ କରୁଥିବା ସତ୍‌ପାଲ ସିଂହଙ୍କ କାହାଣୀ ସାମ୍ନାକୁ ଆସିଛି । କାର୍ଗିଲର ଟାଇଗର ହିଲ୍ ଯୁଦ୍ଧ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ସତ୍‌ପାଲ ସିଂହ । କାର୍ଗିଲ ଯୁଦ୍ଧ ପରେ ତାଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେନାରୁ ବାହାରିବା ପରେ ତାଙ୍କୁ ପଞ୍ଜାବରେ ଟ୍ରାଫିକ କନେଷ୍ଟବଳ ଭାବରେ ନିଯୁକ୍ତି ମିଳିଥିଲା । ବୀର ଚକ୍ର ମିଳିଥିବା ଜାଣି ମଧ୍ୟ ତାଙ୍କୁ ସେ ସମୟରେ କନେଷ୍ଟବଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଏବେ ସେ ଭୁଲକୁ ସୁଧାରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ । ସତ୍‌ପାଲଙ୍କ ବିଷୟରେ ଜାଣି ସେ ତୁରନ୍ତ ତାଙ୍କ ପଦୋନ୍ନତି କରିବା ସହ ତାଙ୍କୁ ଏଏସ୍‌ଆଇ ଭାବେ ନିଯୁକ୍ତି ଦେଇଛନ୍ତି ।

ଏ ନେଇ ଟୁଇଟ୍‌ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ । ଅକାଳି ଦଳ ସରକାର ଦ୍ୱାରା ସତ୍‌ପାଲଙ୍କ ପ୍ରତି ଅବହେଳା କରାଯାଇଥିଲା । କିନ୍ତୁ ଏବେ ତାଙ୍କ ବିଷୟରେ ଜାଣି ତାଙ୍କୁ କନେଷ୍ଟବଳରୁ ଏଏସ୍‌ଆଇ କରି ଦିଆଯାଇଛି ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ।

ସମ୍ବନ୍ଧିତ ଖବର