ପାକିସ୍ତାନର ଆମନ୍ତ୍ରଣକୁ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପ୍ରତ୍ୟାଖ୍ୟାନ

ସେପଟେ ଆତଙ୍କବାଦୀ ଆକ୍ରମଣ କରୁଛ, ଏପଟେ ନିମନ୍ତ୍ରଣ କରୁଛ

ଚଣ୍ଡିଗଡ଼ : ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଙ୍କ ପବିତ୍ର ଜନ୍ମସ୍ଥଳୀ କର୍ତ୍ତାରପୁର ସାହେବକୁ ସଂଯୋଗ କରୁଥିବା କରିଡର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବକୁ ପାକିସ୍ତାନ ସରକାର ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଆମନ୍ତ୍ରଣ କରିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ପ୍ରତ୍ୟାଖାନ କରିଦେଇଛନ୍ତି ।

ପାକିସ୍ତାନ ସରକାରଙ୍କୁ ଏକ ପତ୍ର ଲେଖି ସେ ଜଣାଇଛନ୍ତି ଯେ ପ୍ରାୟ ପ୍ରତ୍ୟେକ ଦିନ ପାକିସ୍ତାନି ଆତଙ୍କବାଦୀ ଓ ସେନା ଗୁଳିରେ ଭାରତୀୟ ଯବାନ ସହିଦ ବା ଆହତ ହେଉଛନ୍ତି । ସେହିପରି ପଂଜାବରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପୁଣିଥରେ ଆତଙ୍କବାଦ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ଷଡଯନ୍ତ୍ର କରୁଛି । ଭାରତରେ ସବୁବେଳେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଛି । ଏ ପରିପ୍ରେକ୍ଷୀରେ ପାକିସ୍ତାନରେ ହେଉଥିବା ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଯୋଗଦେବା ସମ୍ଭବ ନୁହେଁ । ନିକଟରେ ଅମୃତସରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ପାକିସ୍ତାନର ହାତ ଥିବା ଜଣାପଡିଛି । ଗୋଟିଏ ପଟେ ପଂଜାବର ମୁଖ୍ୟମନ୍ତ୍ରୀ ଯିବାକୁ ମନା କରିଦେଇଥିବାବେଳେ ଅନ୍ୟପଟେ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ନବଜ୍ୟୋତ ସିଂ ସିଦ୍ଧୁ ପାକିସ୍ତାନ ଯିବା ପାଇଁ ବେଶ ଉତ୍ସାହିତ ହୋଇପଡିଛନ୍ତି ।

ସମ୍ବନ୍ଧିତ ଖବର