କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ପଞ୍ଜାବରେ ଆରମ୍ଭ ହେଲା ‘ଲକଡାଉନ୍’

ଚଣ୍ଡିଗଡ଼: କରୋନାଭାଇସର୍ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ରବିବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମ୍ରିନ୍ଦର ସିଂହ ସମଗ୍ର ରାଜ୍ୟରେ ସମ୍ପୂର୍ଣ୍ଣ “ଲକଡାଉନ୍’ ପାଇଁ ନିର୍ଦେଶ ଦେଇଛନ୍ତି । କେବଳ ଅତ୍ୟାବଶ୍ୟକ ସେବାକୁ “ଲକଡାଉନ୍’ରୁ ବାଦ ଦିଆଯିବ । ଖୁବ୍ ଶୀଘ୍ର ଏଥିପାଇଁ ବିଧିବଦ୍ଧ ଆଦେଶନାମା ଜାରି ହେବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି ।

‘କରୋନାଭାଇରସ୍’ର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଥିବା ‘ଜନତା କର୍ଫ୍ୟୁ’ ଯୋଗୁଁ ରବିବାର ଦିନ ପଞ୍ଜାବ, ହରିୟାଣା ଏବଂ ରାଜଧାନୀ ଚଣ୍ଡିଗଡ଼ରେ ରାସ୍ତା ଓ ସର୍ବସାଧାରଣ ସ୍ଥାନ ଜନଶୂନ୍ୟ ହୋଇଯାଇଛି ।

Image Source: The Economic Times

ରବିବାର ସକାଳେ ଚଣ୍ଡିଗଡ଼ ଭୂତ ନଗରୀ ଭଳି ଦେଖାଯାଇଛି । ରାସ୍ତାଘାଟରେ ଗାଡ଼ିମଟର ଚଳାଚଳ କରୁ ନାହିଁ । ସହରର ଟ୍ରାନସପୋର୍ଟ ଲାଇଟ୍ ପଏଣ୍ଟ୍, ଟ୍ରିବ୍ୟୁନ୍ ଚୌକ୍ ଏବଂ ସେକ୍ଟର୍ ୪୩ରେ ଥିବା ଇଣ୍ଟର୍ ଷ୍ଟେଟ୍ ବସ୍ ଟର୍ମିନାଲ୍ ଭଳି ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକ ଫାଙ୍କା ରହିଛି । ଲୋକପ୍ରିୟ ସ୍ଥାନ ସୁଖନା ହ୍ରଦ ଏବଂ ସେକ୍ଟର୍ ୧୭ ପ୍ଲାଜା ମଧ୍ୟ ପୂରା ନିକାଞ୍ଚନ ରହିଛି  ।

ପଞ୍ଜାବରେ ୧୧ଜଣ କରୋନାଭାଇରସରେ ଆକ୍ରାନ୍ତ ହୋଇଥିବା କଥା ଶନିବାର ଦିନ ଜଣାପଡ଼ିବା ପରେ ରାଜ୍ୟ ସରକାର “ଲକଡାଉନ୍’ କରିବାକୁ ନିଷ୍ପତ୍ତି  ଗ୍ରହଣ କରିଛନ୍ତି । ପୂର୍ବରୁ ପଞ୍ଜାବରେ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧିତ ଖବର