କୃଷକ ସଂଗଠନକୁ ଭେଟିଲେ ପଂଜାବ କଂଗ୍ରେସ ପ୍ରତିନିଧି ଦଳ

ନୂଆଦିଲ୍ଲୀ : ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି କୃଷକ ସଂଗଠନକୁ ଭେଟିଚନ୍ତି। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକର ଆୟୋଜନ କରାଯାଇଥିଲା। ସାମ୍ମୁଖ୍ୟ କିଷାନ ମୋର୍ଚ୍ଚା ସହ ହୋଇଥିବା ବୈଠକରେ ସଫଳ ଆଲୋଚନା ହୋଇଛି ବୋଲି ସିଦ୍ଧୁ ଟ୍ବିଟ୍‌ କରି କହିଛନ୍ତି। ଚଣ୍ଡୀଗଡ଼ରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଜାବର ୩୨ଟି କୃଷକ ସଂଗଠନର ନେତା ଯୋଗ ଦେଇଥିଲେ। ବିଜେପିକୁ ବାଦ୍‌ ଦେଇ ରାଜ୍ୟର ଅନ୍ୟ ସମସ୍ତ ରାଜନୈତିକ ଦଳ ନେତା ବୈଠକରେ ଉପସ୍ଥିତ ଥିଲେ। ବୈଠକର ଆୟୋଜନ କରିଥିଲେ ସଂଯୁକ୍ତ କିଷାନ ମୋର୍ଚ୍ଚା। ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠାନିକ ଭାବେ ଘୋଷଣା ହେବା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପ୍ରଚାର ନ କରିବାକୁ ମୋର୍ଚ୍ଚା ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହାଦ୍ବାରା ସେମାନଙ୍କ ଆନ୍ଦୋଳନ ଉପରେ ପ୍ରଭାବ ପଡ଼ିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଗତ ନଭେମ୍ବର ମାସରୁ କୃଷକମାନେ ଆନ୍ଦୋଳନ କରି ଆସୁଛନ୍ତି। କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକ ସଂଗଠନର ନେତାମାନଙ୍କ ସହ ଏକାଧିକବାର ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ।

ସମ୍ବନ୍ଧିତ ଖବର