ବିଜେପିରେ ଯୋଗ ଦେଲେ ପଞ୍ଜାବ କଂଗ୍ରେସ ବିଧାୟକ

ଚଣ୍ଡିଗଡ଼ : ନିର୍ବାଚନ ଯେତିକି ପାଖେଇ ଆସୁଛି ନେତା ମାନଙ୍କ ଦଳଡିଆଁ ବଢି ବଢି ଚାଲିଛି । ଉତ୍ତରପ୍ରଦେଶ ପରେ ଏବେ ପଞ୍ଜାବରେ ନେତାମାନେ ଦଳ ଡିଆଁ ଆରମ୍ଭ କରିଦେଇଛନ୍ତି । ଆଜି ପଞ୍ଜାବର ମୋଗା ଆସନର ପ୍ରତିନିଧିତ୍ବ କରୁଥିବା କଂଗ୍ରେସ ବିଧାୟକ ହରଜୋତ କମଲ ବିଜେପିରେ ଯୋଗ ଦେଇଛନ୍ତି । ଏହି ଆସନ ପାଇଁ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦଙ୍କୁ କଂଗ୍ରେସ ଟିକେଟ୍ ମିଳିବା ପରେ ହରଜୋତ କଂଗ୍ରେସ ଛାଡ଼ିଛନ୍ତି । କଂଗ୍ରେସ ପକ୍ଷରୁ ତାଙ୍କୁ ଆଉ ଏକ ଆସନ ପାଇଁ ଟିକେଟ ଯଥା ଯାଇଥିଲେ ବି ସେ ତାହାକୁ ମନା କରିଦେଇଥିଲେ । ଏପରିକି ତାଙ୍କୁ ଅନ୍ୟ ଏକ ଭଲ ଆସନରୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଓ ପିସିସି ସଭାପତି ନବଜ୍ୟୋତ ସିଂ ସିଦ୍ଧୁ ପ୍ରସ୍ତାବ ଦେଇଥିଲେ ବି ସେ ତାହାକୁ ଖାରଜ କରିଦେଇଥିଲେ । ପଂଜାବର ମୋଗା ଆସନ ପାଇଁ ବିଜେପି ତାଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି ।

ନିକଟରେ ମାଳିବିକା କଂଗ୍ରେସରେ ଯୋଗ ଦେଇଥିଲେ । ଏପରିକି ସେ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ହିଁ ମୋଗା ଆସନରୁ ସେ ଲଢିବେ ବୋଲି ଘୋଷଣା କରିଦେଇଥିଲେ । ସୂଚନାଯୋଗ୍ୟ ଯେ, ବଲିଉଡ ଅଭିନେତା ସୋନୁ ସୁଦ ହେଉଛନ୍ତି ମୋଗାର ମୂଳ ବାସିନ୍ଦା । କରୋନା ସମୟରେ ବିଭିନ୍ନ ସେବା ମୂଳକ କାର୍ଯ୍ୟ କରି ସୋନୁ ଲୋକପ୍ରିୟ ହୋଇଛନ୍ତି । ତାଙ୍କ ଲୋକପ୍ରିୟତାର ଫାଇଦା ମାଳବିକା ପାଇବାର ସମ୍ଭାବନା ରହିଛି ।

 

ସମ୍ବନ୍ଧିତ ଖବର