ନୂଆଦିଲ୍ଲୀ: ତିନି ନୂତନ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନଙ୍କ ପ୍ରତି ସମର୍ଥନ ଜଣାଇ ପଞ୍ଜାବ ‘ଡେପୁଟି ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ (ଜେଲ୍‌) ଲକ୍ଷ୍ମୀନ୍ଦର୍‌ ସିଂହ ଜଖର ଚାକିରିରୁ ଇସ୍ତଫା ଦେଇଛନ୍ତି। ଶନିବାର ଦିନ ସେ ପଞ୍ଜାବ ସରକାରଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିବା କଥା କହିଛନ୍ତି।

Advertisment

ରାଜ୍ୟର ପ୍ରମୁଖ ଗୃହ ସଚିବଙ୍କ ନିକଟରେ ଲକ୍ଷ୍ମୀନ୍ଦର୍‌ ସିଂହ ଜଖର ତାଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ଶାନ୍ତିପୂର୍ଣ୍ଣ ଭାବେ କୃଷି ଆଇନ ବିରୋଧରେ ପ୍ରତିବାଦ କରୁଥିବା ମୋର କୃଷକଭାଇମାନଙ୍କ ପ୍ରତି ସମର୍ଥନ ଜଣାଇ ମୁଁ ଏହି ନିଷ୍ପତ୍ତି ଗ୍ରହଣ କରିଛି ବୋଲି ଆପଣଙ୍କୁ ଜଣାଉଛି।

ପଞ୍ଜାବ, ହରିୟାଣା ଏବଂ ଅନ୍ୟ ଅଞ୍ଚଳର ହଜାର ହଜାର କୃଷକ ଦିଲ୍ଲୀ ସୀମାନ୍ତର ବିଭିନ୍ନ ସ୍ଥାନରେ ଧାରଣା ଦେଇ ନୂତନ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଛନ୍ତି। ସେମାନଙ୍କର ଆଶଙ୍କା ଯେ, ଏହି କୃଷି ଆଇନ ଯୋଗୁଁ ‘ଏମ୍‌ଏସ୍‌ପି’ ଉଚ୍ଛେଦ ହେବ ଏବଂ ସେମାନେ ବଡ଼ ବଡ଼ ‘କର୍ପୋରେଟ୍‌’ମାନଙ୍କ ଦୟାର ପାତ୍ର ପାଲଟି ଯିବେ।