ଶେଷରେ ନବଜୋତ ସିଂହ ବି ଖେଳିଲେ ମହିଳା କାର୍ଡ, ମହିଳାଙ୍କୁ ଦେଲେ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି

ଚଣ୍ଡିଗଡ: ପଞ୍ଜାବରେ ନିର୍ବାଚନ ପ୍ରଚାର କରୁଥିବା ନବଜୋତ ସିଂହ ସିଦ୍ଧୁ କହିଛନ୍ତି, କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନରେ ଜିତିଲେ ତାଙ୍କ ପାର୍ଟି ପ୍ରତ୍ୟେକ ମହିଳାଙ୍କୁ ସବୁ ମାସରେ ୨ ହଜାର ଟଙ୍କା ଲେଖାଏଁ ଦେବ । ଏହା ସହ ସେମାନଙ୍କୁ ବର୍ଷରେ ୮ଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ମିଳିବ ।

ନବଜୋତ ସିଂହ ସିଦ୍ଧୁ ପଞ୍ଜାବ ନିର୍ବାଚନ ପାଇଁ ଆଉ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛନ୍ତି । ସିଦ୍ଧୁ କହିଛନ୍ତି ପଞ୍ଚମ ପାସ୍ କରିଥିବା ଛାତ୍ରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ,ଦଶମ ଶ୍ରେଣୀ ପାସ୍ କରିଥିବା ଛାତ୍ରୀଙ୍କୁ ୧୫ ହଜାର ଦିଆଯିବ,ଦ୍ଵାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରୀମାନଙ୍କୁ ୨୦ ହଜାର ଲେଖାଏଁ ଦିଆଯିବ । ଏହା ସହିତ ସିଦ୍ଧୁ କହିଛନ୍ତି ମହାବିଦ୍ୟାଳୟରେ ଏଡମିସନର ରସିଦ୍ ଦେଖାଇଲେ ଛାତ୍ରୀମାନଙ୍କୁ ସ୍କୁଟି ଦିଆଯିବ । ବିଦେଶ ଯାଉଥିବା ଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ ଟ୍ୟାବଲେଟ୍ ଦିଆଯିବ । ମହିଳାମାନଙ୍କୁ ଘରୋଇ କାମ ପାଇଁ ବିନା ସୁଧରେ ୨ ଲକ୍ଷ ଟଙ୍କାର ଋଣ ଦିଆଯିବ । ସିଦ୍ଧୁ କହିଛନ୍ତି ସବୁ ଗାଁରେ ମହିଳା କମାଣ୍ଡୋ ବାଟାଲିୟନ୍ ଗଠନ କରାଯିବ । ଏହି ବାଟାଲିୟନ୍ ଗାଁର ମହିଳାଙ୍କୁ ସୁରକ୍ଷା ଦେବାରେ ସହାୟକ ହେବ । ମହିଳାଙ୍କ ନାମରେ ସମ୍ପତ୍ତି ରେଜିଷ୍ଟ୍ରେସନକୁ ସମ୍ପୂର୍ଣ୍ଣ ମାଗଣା କରାଯିବ ବୋଲି ସିଦ୍ଧୁ କହିଛନ୍ତି । ସବୁ ଜିଲ୍ଲାରେ ମହିଳାଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯିବ ।
ମହିଳାମାନଙ୍କ ଭୋଟ ହାତେଇବା ପାଇଁ ସବୁ ଦଳ ଚେଷ୍ଟା କରୁଛନ୍ତି । କିଛି ଦିନ ପୂର୍ବରୁ ଆମ୍ ଆଦମୀ ଦଳର ଅରବିନ୍ଦ କେଜ୍ରିଓ୍ଵାଲ କହିଥିଲେ ତାଙ୍କ ଦଳ ପଞ୍ଜାବ ନିର୍ବାଚନ ଜିତିଲେ ପ୍ରତ୍ୟେକ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା କରି ଦିଆଯିବ ।

ସମ୍ବନ୍ଧିତ ଖବର