ପଞ୍ଜାବ ନିର୍ବାଚନ ଫଳାଫଳ: ଚନ୍ନି, ସିଦ୍ଧୁ, ଅମରିନ୍ଦର, ବାଦଲଙ୍କୁ ପରାଜିତ କରିଥିବା ଆପ୍‌ ନେତା

ଜୀବନ ଜ୍ୟୋତ କୌର
ଆପ୍‌ର ଜୀବନ ଜ୍ୟୋତି କୌର ଜଣେ ସାମାଜିକ କର୍ମୀ। ଅମୃତସର ଇଷ୍ଟ ଆସନରୁ ସିଦ୍ଧୁଙ୍କୁ ପରାଜିତ କରି ଏହି ମହିଳା ଚର୍ଚ୍ଚାକୁ ଆସିଛନ୍ତି। ପଞ୍ଜାବର ପ୍ୟାଡ୍ ଓମେନ୍ ଭାବେ ସେ ପରିଚିତ। ସମାଜର ଅବହେଳିତ ବର୍ଗର ମହିଳାଙ୍କ ମଧ୍ୟରେ ମାସିକ ଋତୁଚକ୍ର ସମୟରେ ଉତ୍ତମ ସ୍ବାସ୍ଥ୍ୟରକ୍ଷା ସଂପର୍କରେ ସେ ସଚେତନତା ସୃଷ୍ଟି କରିଥାନ୍ତି। ସେ କେବଳ ସିଦ୍ଧୁଙ୍କୁ ନୁହେଁ, ସିରୋମଣୀ ଅକାଳୀ ଦଳର ହେଭିୱେଟ ନେତା ବିକ୍ରମ ସିଂହ ମାଜିଥିଆଙ୍କୁ ମଧ୍ୟ ପରାଜିତ କରିଛନ୍ତି। ଏସଏଚଇ ସୋସାସିଇଟିର ଅଧ୍ୟକ୍ଷା ଭାବେ ଜୀବନ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଉଭୟ ସିଦ୍ଧୁ ଏବଂ ମାଜିଥିଆ ନିର୍ବାଚନୀ ରାଜନୀତିରେ କେବେ ପରାଜୟର ସ୍ବାଦ ଚାଖି ନଥିବାବେଳେ ଜୀବନ ସେମାନଙ୍କୁ ପରାଜିତ କରିଛନ୍ତି।

ଅଜିତପାଲ୍‌ ସିଂହ କୋହଲି
ପଟିଆଲାର ପୂର୍ବତନ ମେୟର ଅଜିତପାଲ ସିଂହ କୋହଲି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହଙ୍କୁ ହରାଇଛନ୍ତି। ପଟିଆଲା କ୍ୟା‌ପଟେନ ସିଂହଙ୍କ ଗଡ଼ ଭାବେ ଜଣାଶୁଣା। କିନ୍ତୁ ଆପ୍‌ ପ୍ରାର୍ଥୀ ଅଜିତପାଲ ଏହି ଆସନରୁ କ୍ୟାପଟେନଙ୍କୁ ହରାଇ ବିଜୟୀ ହୋଇଛନ୍ତି। ‌ଅକାଳୀ ଦଳ ସହିତ କୋହଲିଙ୍କ ପରିବାରର ୭ ଦଶନ୍ଧିର ସମ୍ପର୍କ ରହିଛି। ତାଙ୍କ ବାପା ସୁରଜିତ ସିଂହ କୋହଲି ଅକାଳୀ ଦଳର ବରିଷ୍ଠ ଉପସଭାପତି ରହିବା ସହିତ ୧୯୯୭ରେ ପଞ୍ଜାବ ସରକାରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ହିଥିଲେ। ତାଙ୍କ ଜେଜେବାପା ଶାରଦା ସିଂହ କୋହଲି ମଧ୍ୟ ବିଧାୟକ ଥିଲେ। କୋହଲି ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ପଟିଆଲାର ମେୟର ରହିଥିଲେ।
ଲବ୍‌ ସିଂହ ଉଗୋକି
ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଭଦୌର ଆସନରୁ ଆପ୍‌ର ଲବ୍‌ ସିଂହ ଉଗୋକି ହରାଇଛନ୍ତି। ଉଗୋକି ଆପ୍‌ରେ ୨୦୧୩ରେ ଜଣେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେଇଥିଲେ। ତାଙ୍କ ବାପା ଜଣେ ଡ୍ରାଇଭର ହୋଇଥିବାବେଳେ ତାଙ୍କ ମାଆ ଏକ ସରକାରୀ ବିଦ୍ୟାଳୟରେ ଝାଡ଼ୁଦାର ଭାବେ କାମ କରନ୍ତି। ଉଗୋକି ନିଜେ ଏକ ମୋବାଇଲ ମରାମତି ଦୋକାନ ଚଳାନ୍ତି ଏବଂ ସେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି।
ଡ ଚରଣଜିତ ସିଂହ
ଚମକୌର ଆସନରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହଙ୍କୁ ପରାଜିତ କରିଥିବା ପ୍ରାର୍ଥୀ ହେଉଛନ୍ତି ଆପ୍‌ର ଡ. ଚରଣଜିତ ସିଂହ। ଡ. ଚରଣଜିତ ସିଂହ ଜଣେ ସାମାଜିକ କର୍ମୀ, ଆଖି ଡାକ୍ତର ଏବଂ ଡାକ୍ତର ଶାଖାର ରାଜ୍ୟ ଉପସଭାପତି।

ଗୁରମିତ ସିଂହ ଖୁଦିଆନ୍‌
ଆପ୍‌ର ଗୁରମିତ୍ ସିଂହ ଖୁଦିଆନ୍ ପଞ୍ଜାବରେ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରକାଶ ସିଂହ ବାଦଲଙ୍କୁ ଲାମ୍ବି ନିର୍ବାଚନ ମଣ୍ଡଳୀରୁ ପରାଜିତ କରିଛନ୍ତି। ସେ କଂଗ୍ରେସ ଛାଡ଼ି ଗତବର୍ଷ ଆପ୍‌ରେ ଯୋଗଦେଇଥିଲେ। କଂଗ୍ରେସରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ସେ ଆଣିଥିଲେ। ସେ ପୂର୍ବତନ ସାଂସଦ ଜଗଦେବ ସିଂହ ଖୁଦିଆନଙ୍କ ପୁଅ। ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ଗୁରମିତଙ୍କ ପେସା ଚାଷ।

ସମ୍ବନ୍ଧିତ ଖବର