ମାନସା: କ୍ୟାପ୍ସିକମ୍ର ମୂଲ୍ୟ କିଲୋ ପିଛା ୧ ଟଙ୍କାକୁ ଖସିବାରୁ ପଞ୍ଜାବ ମାନସା ଜିଲ୍ଲାର ଚାଷୀ ବୁଧବାର ବସ୍ତା ବସ୍ତା କ୍ୟାପ୍ସିକମ୍ ରାସ୍ତାରେ ଢାଳିଛନ୍ତି। ୫ ଏକର ଜମିରେ କ୍ୟାପ୍ସିକମ୍ ଚାଷ କରିଥିବା ଭୈନିବାଘା ଗ୍ରାମର ଜଣେ ଚାଷୀ ଗୋରା ସିଂହ କହିଛନ୍ତି- ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ଅନୁରୋଧରେ ମୋ ପରି ବହୁ ଚାଷୀ ନିଜ ଜମିରେ କ୍ୟାକ୍ସିକମ୍ ଚାଷ କରିଥିଲେ। କିନ୍ତୁ ଆମକୁ ଯେଉଁ ମୂଲ୍ୟ ଯଚାଗଲା ତାହା ଶୁଣି ଆମେ ସ୍ତବ୍ଧ ହୋଇଯାଇଛୁ। ପ୍ରତି ବସ୍ତାରେ ଆମେ ୧୫-୧୭ କିଲୋ କ୍ୟାପ୍ସିକମ୍ ବାନ୍ଧିଥିବା ବେଳେ ଆମକୁ ବସ୍ତା ପିଛା ମାତ୍ର ୧୫ ଟଙ୍କା ଯଚାଗଲା। ଗୋଟିଏ କିଲୋ କ୍ୟାପ୍ସିକମ୍ର ଦାମ୍ ୧ ଟଙ୍କାରୁ ବି କମ୍ ପଡ଼ିଲା।
ପଞ୍ଜାବରେ ୩ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ପରିବା ଚାଷ କରାଯାଏ। କ୍ୟାପ୍ସିକମ୍ ମୁଖ୍ୟତଃ ମାନସା, ଫିରୋଜପୁର ଓ ସଙ୍ଗରୁର ଜିଲ୍ଲାରେ ଚାଷ କରାଯାଏ। ଏ ବର୍ଷ ଭାରତର ସବୁ ରାଜ୍ୟରେ ପ୍ରବଳ କ୍ୟାପ୍ସିକମ୍ ଅମଳ ହୋଇଛି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଜାନୁଆରି-ଫେବ୍ରୁଆରିରେ ଓ ପଞ୍ଜାବରେ ମାର୍ଚ୍ଚ-ଏପ୍ରିଲରେ ଅମଳ ହୁଏ। ଏ ବର୍ଷ ଏକା ସମୟରେ ସବୁ ରାଜ୍ୟରେ ଅମଳ ହୋଇଛି। ସେଥିପାଇଁ ପଞ୍ଜାବ କ୍ୟାକ୍ସିକମ୍ର ଚାହିଦା ନାହିଁ ବୋଲି କହିଛନ୍ତି ପଞ୍ଜାବ ଉଦ୍ୟାନକୃଷି ନିର୍ଦ୍ଦେଶକ ଶୈଳେନ୍ଦ୍ର କୌର।