ଅମୃତସର:   ପଞ୍ଜାବ ଏବେ ସବୁଠାରୁ ବଡ଼ ବନ୍ୟାର ସମ୍ମୁଖୀନ ହୋଇଛି। ରାଜ୍ୟରେ ବନ୍ୟା ମୃତ୍ୟୁସଂଖ୍ୟା ଆଜି ୪୩କୁ ବୃଦ୍ଧି ପାଇଛି ଏବଂ ୧୯୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି।  
ସତଲେଜ ନଦୀର ପ୍ରଖର ସୁଅ ଯୋଗୁ ଲୁଧିଆନା ଜିଲ୍ଲାର ପୂର୍ବ ଅଂଚଳରେ ବାକ୍ରା ନଦୀବନ୍ଧ ପ୍ରବଳ ଚାପରେ ଥିବାରୁ ଲୁଧିଆନା ଜିଲ୍ଲା ପ୍ରଶାସନ ହାଇ ଆଲର୍ଟ ଜାରି କରିଛି।  ବନ୍ଧ ଦୁର୍ବଳ ହେଉଥିବାରୁ ସରସାଲି, ବନ୍ତ,ରାୱତ, ହାୱସ, ସିରା, ବୁଥଗନ, ମଙ୍ଗଲି ତନ୍ଦା, ଧେରି, ଖୱାଜକେ, ଖାସି ଖୁର୍ଦ, ମଙ୍ଗଲି କଦର, ମାଟ୍ଟେୱାଡ଼ା, ମଙ୍ଗତ ଏବଂ ମେହରବାନ୍‌ ଗ୍ରାମ ଗୁଡ଼ିକ ଉପରେ ବଡ଼ ବିପତ୍ତି ରହିଛି।   ଉପରୋକ୍ତ ଗ୍ରାମଗୁଡ଼ିକର ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଯିବାପାଇଁ ନିର୍ଦ୍ଦେଶ ଦିଆଯିବା ସହ ସର୍ବାଧିକ ସତର୍କତା ଅବଲମ୍ବନ କରିବାପାଇଁ କୁହାଯାଇଛି।

Advertisment

ଜନସାଧାରଣ ୱାଟରପ୍ରୁଫ୍‌ ବ୍ୟାଗରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ରଖିବାପାଇଁ ପ୍ରଶାସନ ଅନୁରୋଧ କରିଛି।  ପ୍ରଥମେ ବୃଦ୍ଧ, ଶିଶୁ ଏବଂ ଅସୁସ୍ଥ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ  ଯିବାପାଇଁ କୁହାଯାଇଛି।  ପ୍ରଶାସନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ଏହି ସମୟରେ ଲୋକଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଲୋକଙ୍କ ଜୀବନ ରକ୍ଷା କରିବା ଆମର ପ୍ରଥମ ପ୍ରାଥମିକତା।  ଇତିମଧ୍ୟରେ ସ୍ଥିତି ସମୀକ୍ଷା ପାଇଁ ପଞ୍ଜାବ ଗସ୍ତରେ ଥିବା କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରତିଶ୍ରୁତି ଦେଇଛନ୍ତି ଯେ କେନ୍ଦ୍ର ସରକାର ଏହି ସୀମାନ୍ତ ରାଜ୍ୟକୁ ସମସ୍ତ ସହାୟତା ପ୍ରଦାନ କରିବେ। ୨ଟି କେନ୍ଦ୍ରୀୟ ଦଳ ରାଜ୍ୟର କ୍ଷୟକ୍ଷତି ଆକଳନ କରୁଛନ୍ତି ଏବଂ ସେହି ଆଧାରରେ  ରାଜ୍ୟକୁ ସମସ୍ତ ସହଯୋଗ  ଉପଲବ୍ଧ କରାଯିବ ବୋଲି ଶିବରାଜ କହିଛନ୍ତି।