ଚଣ୍ଡିଗଡ଼: ପ୍ରଳୟ ପାଟିରେ ପଞ୍ଜାବ । ସବୁଠି ପାଣି ଆଉ ପାଣି । ଘରଦ୍ବାର, ରାସ୍ତାଘାଟ, ଦୋକାନ ବଜାର ସବୁଠି ବନ୍ୟା ପାଣି । ପ୍ରବଳ ବର୍ଷା ବନ୍ୟା ସ୍ଥିତି ଆଣିଥିବା ବେଳେ ଫୁଲିଛି ପଞ୍ଜାବ ଦେଇ ବହିଯାଇଥିବା ନଦୀ । ସତଲେଜ, ବ୍ୟାସ, ରାବି ନଦୀର ଜଳସ୍ତର ବଢିଛି । ବିପଦ ସଂକେତ ପାର କରିଛି ଜଳସ୍ତର । ଆଉ ନଦୀ ସବୁ ଫୁଲି ସ୍ଥଳଭାଗକୁ, ସହରକୁ, ଜନବସତିକୁ ମାଡି ଯିବା ପରେ ସ୍ଥିତି ସଙ୍ଗୀନ ହୋଇଛି । ଗୁରୁଦାସପୁର, ଅମୃତସର, ହୋସିଆରପୁର, ମାନସା, ଲୁଧିଆନା ଭଳି ଅନେକ ଜିଲ୍ଲାରେ ବନ୍ୟାଜଳ ନିଜର ଭୟଙ୍କର ରୂପ ଦେଖାଇଛି । 

Advertisment

ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ବେଘର ହୋଇଛନ୍ତି । ପ୍ରାୟ ଅଢେଇ ଲକ୍ଷ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ୧୩୦୦ ଗାଁ ପାଣି ଘେରରେ ରହିଛି । ୧୨୨ଟି ରିଲିଫ କ୍ୟାମ୍ପକୁ ୬୫୮୨ ଜଣ ବନ୍ୟା ପ୍ରଭାବିତଙ୍କୁ ସ୍ଥାନାନ୍ତର କରାଯାଇଛି । ପାଣି ପାଟିରୁ ୧୪ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କଲେଣି ଏନଡିଆରଏଫ ଟିମ୍, ବିଏସଏଫ, ଏବଂ ସେନାବାହିନୀ । ଆହୁରି ଉଦ୍ଧାର କାମ ମଧ୍ଯ ଜାରି ରହିଛି । 

ଜଳ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ଡ୍ରୋନ ସାହାଯ୍ୟରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଖୋଜି ଖୋଜି ଜଳବନ୍ଦୀ ଲୋକଙ୍କୁ ଆକାଶ ମାର୍ଗରୁ ପାନୀୟ ଜଳ, ଖାଦ୍ୟ ଏବଂ ପାଉଡର କ୍ଷୀର ବଣ୍ଟା ଯାଉଛି । ଅମୃତସରରେ ୩୫ ହଜାର ଲୋକ ବନ୍ୟା ଦ୍ବାରା ପ୍ରଭାବିତ ଥିବା ବେଳେ ଫିରୋଜପୁରରେ ୨୪ ହଜାରରୁ ଅଧିକ ଲୋକ, ପଠାନକୋଟରେ ୧୫, ୦୫୩ ଜଣ, ହୋସିଆରପୁରରେ ୧୧୦୦ ଲୋକ, ଜଳନ୍ଧରରେ ୬୫୨ ଜଣ ଲୋକ ପ୍ରଭାବିତ ଥିବା ସୂଚନା ମିଳିଛି ।

ସେହିପରି ପଠାନକୋଟରେ ୬ ଜଣଙ୍କ ବନ୍ୟାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରୁ ମୃତ୍ୟୁ ସଂଖ୍ଯା ଧିରେ ଧିରେ ଆସିବାରେ ଲାଗିଛି । ବନ୍ୟା ପ୍ରଭାବିତ ଲୋକଙ୍କୁ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ଚିକିତ୍ସା କରାଯାଉଛି । ଅନେକ ସ୍ଥାନରେ ନଦୀ ଫୁଲିବା କାରଣରୁ ରାସ୍ତା ଭାଙ୍ଗିଯାଇଛି ଏବଂ ବଡ ବଡ ବ୍ରିଜ୍ ଭୁଶୁଡି ପଡିଛି । ବନ୍ୟା ପାଣି ପାଇଁ ପଞ୍ଜାବରେ ଚାଷ ପ୍ରଭାବିତ ହୋଇଛି । ୯୬, ୦୬୧ ହେକ୍ଟର ଜମିରେ ବନ୍ୟା ଜଳ ମାଡିଯାଇଛି । 

ସେପଟେ ପଞ୍ଜାବର ବନ୍ଯାସ୍ଥିତି ନେଇ ମୁଖ୍ଯମନ୍ତ୍ରୀ ଭଗବତ ମାନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସଙ୍କଟ ସମୟରେ ପଞ୍ଜାବ ସହ କେନ୍ଦ୍ର ସରକାର ଛିଡା ହୋଇଥିବା କଥା କହିବା ସହ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବର୍ଷା କାରଣରୁ ପଞ୍ଜାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଯେଉଁ କାରଣରୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଥିରେ କେବଳ ଅନେକ ଲୋକଙ୍କର ଜୀବନ ଯାଇନାହିଁ ବରଂ ପଶୁମାନେ ମଧ୍ୟ ପାଣିରେ ଭାସି ଯାଉଥିବାର ଭିଡିଓ ସାମ୍ନାକୁ ଆସୁଛି । ଏପରି ସଙ୍କଟ ସମୟରେ ବଲିଉଡ୍ ଜଗତର କଳାକାରମାନେ ମଧ୍ୟ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ବଲିଉଡ ଅଭିନେତା ସୋନୁ ସୁଦ, ଦିଲଜିତ ଦୋସାଞ୍ଝ ଏବଂ ଗାୟକ ଗୁରୁ ରନ୍ଧାୱାଙ୍କ ଟିମ୍ ଲୋକଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି । ସୂଚନାଯୋଗ୍ୟ ଯେ ପଞ୍ଜାବରେ ଗତ ୨୫ ବର୍ଷର ରେକର୍ଡ ଭାଙ୍ଗିଛି ଚଳିତ ବର୍ଷର ବର୍ଷା । ଯେଉଁ କାରଣରୁ ପ୍ରାୟ ୨୩ଟି ଜିଲ୍ଲାରୁ ୧୮ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।