ପଞ୍ଜାବରେ ସରକାରୀ କର୍ମଚାରୀଙ୍କୁ ଦରମା ଦେଇପାରୁନାହାନ୍ତି ଭଗୱନ୍ତ ମାନ୍ !

ଚଣ୍ଡୀଗଡ: ସେପ୍ଟେମ୍ବର ମାସ ଆରମ୍ଭ ହୋଇ ଛଅ ଦିନ ବିତିଗଲାଣି, ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜାବର ଭଗୱନ୍ତ ମାନ୍ ସରକାର ନିଜ କର୍ମଚାରୀଙ୍କୁ ଅଗଷ୍ଟ ମାସର ଦରମା ଦେଇପାରିନାହାଁନ୍ତି। ଏହି କାରଣରୁ ପଞ୍ଜାବରେ ରାଜ୍ୟ ସରକାର ଅର୍ଥ ଅଭାବ ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ ଆଲୋଚନା ଆରମ୍ଭ ହୋଇଛି। ସାଧାରଣତଃ, ପୂର୍ବ ମାସର ଦରମା ସରକାରୀ କର୍ମଚାରୀମାନଙ୍କୁ ମାସର ପ୍ରଥମ ଦିନ ହିଁ ଦିଆଯାଏ। ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଜିଏସ୍ଟି କ୍ଷତିପୂରଣ ବ୍ୟବସ୍ଥା ଶେଷ ହେବା ପରେ ଏହି ସଙ୍କଟ ବୃଦ୍ଧି ପାଇଛି। ଜିଏସ୍ଟି କ୍ଷତିପୂରଣ ଅନୁଯାୟୀ ରାଜ୍ୟ ସରକାର ୧୬,୦୦୦ କୋଟି ଟଙ୍କା ପାଉଥିଲେ। ଚଳିତ ବର୍ଷ ପଞ୍ଜାବ ସରକାରଙ୍କୁ କେବଳ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ପାଇଁ ଜିଏସ୍ଟି ମିଳିଥିଲା। ଏହା ପରେ, ଏହି ବ୍ୟବସ୍ଥା ଜୁନ୍ ୩୦ରୁ ଶେଷ କରାଯାଇଥିଲା। ଏହି ବ୍ୟବସ୍ଥା ଶେଷ ହେବା ପରେ ଦରମା ଦେବାରେ ସରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।

କୁହାଯାଉଛି ଯେ, ଆମ୍ ଆଦମୀ ପାର୍ଟି ସରକାର ମାର୍ଚ୍ଚରେ କ୍ଷମତାକୁ ଆସିଥିଲେ ଏବଂ ସେହି ଦିନଠାରୁ ଦରମା ଠିକ୍ ସମୟରେ ପ୍ରଦାନ କରାଯାଉଥିଲା। ହେଲେ ଚଳିତ ମାସରେ ପ୍ରଥମ ଥର ପାଇଁ ବେତନ ପ୍ରଦାନରେ ବିଳମ୍ବ ଘଟିଛି। ନାଁ ଗୋପନ ରଖି ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ଅନୁଭବ କରୁଛୁ ଯେ କର୍ମଚାରୀମାନେ ଆମକୁ ସମର୍ଥନ କରିବେ ଏବଂ ଏକ ସପ୍ତାହ ଅପେକ୍ଷା କରିବାକୁ ସମର୍ଥ ହେବେ। ଗ୍ରୁପ୍ ସି ଏବଂ ଡି କର୍ମଚାରୀମାନଙ୍କୁ ଆମେ ଦରମା ଦେଇଛୁ। ଅନ୍ୟମାନଙ୍କୁ ବୁଧବାର ସୁଦ୍ଧା ଦରମା ଦିଆଯିବ। ଅଧିକାରୀ କହିଛନ୍ତି ଯେ ଯେତେବେଳେ ବି ସରକାରଙ୍କ ପାଖରେ ଟଙ୍କା ଅଭାବ ଥାଏ, ସେତେବେଳେ ସି ଏବଂ ଡି ଶ୍ରେଣୀର କର୍ମଚାରୀମାନଙ୍କୁ ପ୍ରଥମେ ଦରମା ଦିଆଯାଏ। ସେହି ଶ୍ରେଣୀ ପରେ ଏ ଏବଂ ବି କର୍ମଚାରୀମାନେ ଦରମା ପାଆନ୍ତି। ବିଦ୍ୟୁତ୍ ସବସିଡି ମଧ୍ୟ ପଞ୍ଜାବ ସରକାରଙ୍କ ଖନନ ଉପରେ ଭାର ବଢ଼ାଉଛି। ଚଳିତ ବର୍ଷ ପ୍ରାୟ ୨୦,୦୦୦ କୋଟି ଟଙ୍କାର ସବସିଡି ଭାର ପଞ୍ଜାବ ସରକାରଙ୍କ ଉପରେ ପଡ଼ିବ। ଏଥିରେ ୧୮,୦୦୦ କୋଟି ଟଙ୍କା ମୂଲ୍ୟର ମାଗଣା ବିଦ୍ୟୁତ୍ ଅନ୍ତର୍ଭୁକ୍ତ, ଯାହା କୃଷକମାନଙ୍କୁ ଦିଆଯାଉଛି।

ସମ୍ବନ୍ଧିତ ଖବର