୪୨୪ଜଣ ବ୍ୟକ୍ତିଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କଲେ ପଞ୍ଜାବ ସରକାର

ଚଣ୍ଡୀଗଡ଼: ରାଜ୍ୟ ୪୨୪ଜଣ ବ୍ୟକ୍ତିଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ଙ୍କ ନେତୃତ୍ବାଧୀନ ପଞ୍ଜାବ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ନିରାପତ୍ତା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଅନେକ ଅବସରପ୍ରାପ୍ତ ପୁଲିସ ଅଧିକାରୀ, ଧର୍ମଗୁରୁ ଏବଂ ରାଜନୈତିକ ବ୍ୟକ୍ତିତ୍ବ।

ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ‘ଆପ୍‌’ ସରକାର ଅକାଳୀ ଦଳ ସାଂସଦ ହର୍‌ସିମ୍‌ରତ୍‌ କୌର ବାଦଲ ଏବଂ ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜାଖଡ଼ଙ୍କ ସମେତ ୮ଜଣ ବ୍ୟକ୍ତିଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ମଧ୍ୟ ପ୍ରତ୍ୟାହାର କରିନେଇଥିଲେ। ଉକ୍ତ ୮ଜଣଙ୍କ ମଧ୍ୟରୁ ୫ଜଣ ‘ଜେଡ୍‌’ ବର୍ଗ ନିରାପତ୍ତା ପାଇଥିବା ବେଳେ ବାକି ୩ଜଣ ‘ୱାଇ+’ ସୁରକ୍ଷା ପାଇଥିଲେ। ସେମାନଙ୍କ ସୁରକ୍ଷାରେ ୧୨୭ଜଣ ପୁଲିସ କର୍ମଚାରୀ ଏବଂ ୯ଟି ଗାଡ଼ି ନିୟୋଜନ କରାଯାଇଥିଲା।

ଆଗରୁ ଏପ୍ରିଲ୍‌ ମାସରେ ପଞ୍ଜାବ ସରକାର ପୂର୍ବତନ ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟାନ୍ୟ ନେତାଙ୍କ ସମେତ ୧୮୪ଜଣ ବ୍ୟକ୍ତିଙ୍କୁ ‌ଯୋଗାଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନେଇଥିଲେ।

ଉଲ୍ଲେଖଯୋଗ୍ୟ, ଗତ ମାସରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ, କ୍ୟାପ୍‌ଟେନ୍‌ ଅମରିନ୍ଦର୍‌ ସିଂହଙ୍କ ପୁତ୍ର ରଣିନ୍ଦର ସିଂହ ଏବଂ କଂଗ୍ରେସ ବିଧାୟକ ପ୍ରତାପ ସିଂହ ବାଜବାୱେରେଙ୍କ ପତ୍ନୀଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ମଧ୍ୟ ପ୍ରତ୍ୟାହର କରି ନେଇଥିଲେ।

ସମ୍ବନ୍ଧିତ ଖବର