ଚଣ୍ଡିଗଡ଼: ପୁଣି ବଡ଼ ନିଷ୍ପତ୍ତି ନେଲେ ମାନ ସରକାର। କ୍ଷମତାକୁ ଆସିବା ପରଠାରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଥିବା ବେଳେ ଆଜି ପୁଣି ଥରେ ପଞ୍ଜାବର ଆପ୍ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବର ୪୨୪ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଛନ୍ତି ଆପ୍ ସରକାର। ଯେଉଁ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି ସେମାନଙ୍କ ମଧ୍ୟରେ ଅନେକ ଅବସରପ୍ରାପ୍ତ ଅଧିକାରୀ ଏବଂ ପୂର୍ବତନ ବିଧାୟକ ଅଛନ୍ତି। କୁହାଯାଉଛି ଯେ ସୁରକ୍ଷା ପ୍ରତ୍ୟାହାର କରିବା ପୂର୍ବରୁ ନୂତନ ପଞ୍ଜାବ ସରକାର ଏହି ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକ କରିଥିଲେ ଯେଉଁଥିରେ ୪୨୪ ଜଣ ଲୋକ ସୁରକ୍ଷା ଆବଶ୍ୟକ କରନ୍ତି କି ନାହିଁ ତାହା ଉପରେ ଆଲୋଚନା କରାଯାଇଥିଲା।

Advertisment

ଏହି ବୈଠକ ପରେ ରାଜ୍ୟ ସରକାର ସୁରକ୍ଷା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ‌ତେବେ ପଞ୍ଜାବ ପୁଲିସରେ କର୍ମଚାରୀଙ୍କ ଅଭାବ ପୂର୍ବରୁ ରହିଛି। ଏଭଳି ପରିସ୍ଥିତିରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ସ୍ଥାନରେ ସୁରକ୍ଷା କର୍ମୀଙ୍କ ଅଭାବ ପୂରଣ କରିବା କଷ୍ଟକର ହୋଇପଡୁଛି। ଏହି କାରଣ ପାଇଁ ବିଶେଷ କରି ସୁରକ୍ଷା ପ୍ରତ୍ୟାହାର କରାଯାଇଥିବା କୁହାଯାଉଛି।

ଏହା ପୂର୍ବରୁ ଏପ୍ରିଲରେ ପଞ୍ଜାବ ସରକାର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଓ ଅନ୍ୟ ନେତାଙ୍କ ସମେତ ୧୮୪ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ମାସରେ ପଞ୍ଜାବର  ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, କ୍ୟାପଟେନ ଅମରିନ୍ଦର ସିଂଙ୍କ ପୁଅ ରଣିନ୍ଦର ସିଂ ଏବଂ କଂଗ୍ରେସ ବିଧାୟକ ପ୍ରତାପ ସିଂ ବାଜୱାରେଙ୍କ ପତ୍ନୀଙ୍କ ପରିବାରର ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଥିଲା।