ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣିବେଳେ ଜଷ୍ଟିସ ଜଗମୋହନ ବଂଶଲ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଜଣେ ଯୁବତୀ ଘରୁ ପଳାଇ ବିବାହ କରିବା ମାମଲାକୁ ନେଇ ଜଷ୍ଟିସ ଜଗମୋହନ ବଂଶଲ କହିଛନ୍ତି ଯେ ଭାରତୀୟ ସଂସ୍କୃତିରେ ବିବାହ ଏକ ଚୁକ୍ତିନାମା କିମ୍ବା ବୁଝାମଣା ନୁହେଁ ବରଂ ଦୁଇ ପରିବାରର ମିଳନ | ଭାରତରେ ନିଜ ଇଚ୍ଛାରେ ବିବାହ କରିବା କୌଣସି ନୂଆ କଥା ନୁହେଁ, ବରଂ ଏହା ଇତିହାସ ସହିତ ଜଡିତ ଅଛି | ରାମାୟଣ ଏବଂ ମହାଭାରତରେ ମଧ୍ୟ ଏବାବଦରେ ଉଲ୍ଲେଖ କରାଯାଇଛି | ଜଷ୍ଟିସ୍ ଜଗମୋହନ ବଂଶଲ ଏହା ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ରାମାୟଣ ଏବଂ ମହାଭାରତ ସମୟରେ ହେଉଥିବା ସ୍ୱୟଂବର ଏହାର ଏକ ବଡ ଉଦାହରଣ | ନିଜ ଇଚ୍ଛାରେ ନିଜ ଜୀବନସାଥୀ ଖୋଜିବାର ପରମ୍ପରା ସେବେଠାରୁ ରହି ଆସିଛି | ବାସ୍ତବରେ, ମଲୋଟ ଅଂଚଳର ଜଣେ ଯୁବକ ଜଣେ ଯୁବତୀଙ୍କୁ ଅପହରଣ କରି ବିବାହ କରିଥିବାର ଅଭିଯୋଗ ହୋଇଥିଲା |

Advertisment

ଯୁବତୀଙ୍କୁ ଅପହରଣ କରି ନେଇଯାଇଥିବାର ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ | ଆଉ ଏହାପରେ ପୁଲିସ ବିଭିନ୍ନ ଧାରାରେ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଆଉ ଯୁବକଜଣକ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାକୁ ଖାରଜ କରିବା ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଆବେଦନ କରିଥିଲେ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଯୁବକଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନର ଶୁଣାଣି ବେଳେ ତାଙ୍କ ବିରୋଧରେ ଆସିଥିବା ଏଫଆଇଆରକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଉଭୟ ଯୁବକ ଏବଂ ଯୁବତୀ ପ୍ରାପ୍ତବୟସ୍କ, ଏଭଳି ପରିସ୍ଥିତିରେ କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ। କୌଣସି ନିୟମ ସେମାନଙ୍କୁ ନିଜ ଇଚ୍ଛାରେ ବଂଚିବାର ଅଧିକାରରୁ ଅଟକାଇ ପାରିବ ନାହିଁ | ଜାନୁୟାରୀ ୨୦୧୯ରେ, ଝିଅର ବାପା ମଲୋଟ ପୁଲିସ ଷ୍ଟେସନରେ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗରେ କୁହାଯାଇଥିଲା ଯେ ଯୁବକ ଜଣକ ତାଙ୍କ ଝିଅକୁ ସାଙ୍ଗରେ ନେଇ ପଳାଇଯାଇଥିଲେ। କିନ୍ତୁ କିଛି ମାସ ପରେ ଅଭିଯୁକ୍ତ ଯୁବକ ତାଙ୍କ ଝିଅକୁ ବିବାହ କରିଥିବା ଜଣାପଡିଥିଲା।