ପଞ୍ଜାବ ମଦମୃତ୍ୟୁ ମାମଲା : ମୃତ୍ୟୁସଂଖ୍ୟା ୮୬ କୁ ବୃଦ୍ଧି

ଚଣ୍ଡିଗଡ଼ : ପଞ୍ଜାବରେ ବିଷାକ୍ତ ମଦ ପିଇ ଆଉ ୨୩ ଜଣ ମୃତ୍ୟୁବରଣ କରିଛନ୍ତି । ଫଳରେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସଂଖ୍ୟା ୮୬ରେ ପହଞ୍ଚିଛି । ତରନ ତାରନ ଜିଲ୍ଲାରେ ସବୁଠାରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । କେବଳ ଏହି ଜିଲ୍ଲାରେ ୪୨ ଜଣ ମୃତ୍ୟୁବରଣ କରିଛନ୍ତି । ଏହାଛଡ଼ା ଅମୃତସରରେ ୧୧ ଜଣ ଓ ଗୁରୁଦାସପୁରରେ ୯ ଜଣ ମୃତ୍ୟୁବରଣ କରିଛନ୍ତି ।

ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପଂଜାବ ପୁଲିସ ମହାନିର୍ଦ୍ଦେଶକ ଦିନକର ଗୁପ୍ତା କହିଛନ୍ତି ଯେ ୩ଟି ଜିଲ୍ଲାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ବାରା ଯୋଗାଣ ହୋଇଥିବା ମଦ ଯୋଗୁଁ ଏଭଳି ବିଭୀଷିକା ସୃଷ୍ଟି ହୋଇଛି ।

କେତେକ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଦ ମୃତ୍ୟୁ ହୋଇଥିବା ସମସ୍ତ ଅଂଚଳରେ ବ୍ୟାପକ ଚଢ଼ଉ ଚାଲିଛି । ପୁଲିସ ଦ୍ୱାରା ପ୍ରାୟ ୧୦୦ଟି ସ୍ଥାନରେ ଚଢଉ କରାଯାଇ ୧୭ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ମଦ ମାଫିଆ, ଜଣେ ଦାଗି ଅପରାଧୀ, ଜଣେ ମହିଳା ଚୋରାଚାଲାଣକାରୀ, ଜଣେ ଟ୍ରାନ୍ସପୋର୍ଟ ସଂସ୍ଥା ମାଲିକ, ବିଭିନ୍ନ ଢାବାର ମାଲିକ ଓ ପରିଚାଳକ ଅଛନ୍ତି । ଏହି ଚଢଉ ବେଳେ ବିଭିନ୍ନ ସ୍ଥାନରୁ ପ୍ରାୟ ୭୫୦ ଲିଟର ବିଷାକ୍ତ ମଦ ଜବତ ହୋଇଛି ।

ସମ୍ବନ୍ଧିତ ଖବର