‘ଜେଲ୍‌ ଯୋଗ’ରୁ ବଞ୍ଚିିବାକୁ ନୂଆ ପ୍ରତିକାର ‘ଜେଲ୍‌ ଖାଦ୍ୟ’; ଜେଲ୍‌ ଖାଦ୍ୟ ହାତେଇବାକୁ ଜେଲ୍‌ ବାହାରେ ଲମ୍ବା ଲାଇନ୍‌, ପିରିସ୍ଥିତି ସମ୍ଭାଳିବାକୁ ସରକାର ଖୋଲିବେ ଜେଲ୍‌ କ୍ୟାଣ୍ଟିନ୍‌

ଲୁଧିଆନା (ପଞ୍ଜାବ): ଭଲ ସ୍ୱାଦିଷ୍ଟ ଖାଇବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥାଏ। ସେଥିପାଇଁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରୁଥିବା ରେସ୍ତୋରାଁଗୁଡ଼ିକରେ ଖାଦ୍ୟପ୍ରେମୀମାନଙ୍କର ଭିଡ଼ ଲାଗୁଥିବା ଦେଖିଥିବା ମିଳିଥାଏ। କିନ୍ତୁ, ଏବେ ପଞ୍ଜାବରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି। ପଞ୍ଜାବରେ ଥିବା ଜେଲଗୁଡ଼ିକ ସମ୍ମୁଖରେ ଏବେ ମଧ୍ୟାହ୍ନ ଭୋଜନ ଓ ରାତ୍ରିଭୋଜନ ସମୟରେ ସାଧାରଣ ଜନତାଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ଜେଲ୍‌ରେ ଥିବା ବନ୍ଦୀମାନଙ୍କ ପାଇଁ ଜେଲ ଭିତରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ବାହାରେ ସାଧାରଣ ଜନତାଙ୍କୁ ବିକ୍ରୟ ପାଇଁ ସରକାରୀ ସ୍ତରରେ ଅନୁମତି ନ ଥିବା ବେଳେ, ଜେଲ ବାହାରେ ଜେଲ ଖାଦ୍ୟ ପାଇଁ ଲାଇନ୍‌ ଲଗାଉଥିବା ଜନତା କିନ୍ତୁ ଜେଲ ଭିତର ଖାଦ୍ୟକୁ ହତେଇବା ପାଇଁ ସମସ୍ତ କଳବଳ କୌଶଳ ଖଟାଇବା ସହ ଏଥିପାଇଁ ଯେ କୌଣସି ମୂଲ୍ୟ ଦେବାକୁ ସୁଦ୍ଧା ପଛଘୁଞ୍ଚା ଦେଉ ନାହାନ୍ତି।

ତେବେ, ଆପଣମାନେ ଭାବୁଥିବେ ପଞ୍ଜାବର ଜେଲମାନଙ୍କରେ ବନ୍ଦୀମାନଙ୍କୁ କ’ଣ ଏତେ ସ୍ୱାଦିଷ୍ଟ ଖାଦ୍ୟ ଦିଆ ଯାଉଛି। ଆଜ୍ଞା ନା! ପଞ୍ଜାବର ଜେଲମାନଙ୍କରେ ବି ବନ୍ଦୀମାନଙ୍କୁ ସେଇ ବଗଡ଼ା ଚାଉଳରେ ପ୍ରସ୍ତୁତ ଦରସିଝା ଅଲଣିଆ ଖାଦ୍ୟ ମିଳୁଛି! ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଜେଲରେ ମିଳୁଥିବା ଏହି ଅଖାଦ୍ୟକୁ ବହୁମୂଲ୍ୟ ଦେଇ କିଣିବାକୁ ସାଧାରଣ ଜନତାଙ୍କ ମଧ୍ୟରେ ଏବେ ଆତୁରତା ଓ ବ୍ୟାକୁଳତା କାହିଁକି? ତେବେ, ଏହା ପଛରେ ରହିଥିବା କାରଣ ଜାଣିବା ପରେ ଆପଣ ବି ଚକିତ ହୋଇଯିବେ!

ଜେଲ ଖାଦ୍ୟ କିଣିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ଏ ଆତୁରତା ଓ ବ୍ୟାକୁଳତା ସୃଷ୍ଟି ପଛରେ ରହିଛନ୍ତି ପଞ୍ଜାବର ଜ୍ୟୋତିଷ, ପଣ୍ଡିତ ଓ ତଥାକଥିତ ଭବିଷ୍ୟତବକ୍ତା ମାନେ! ଯେଉଁମାନଙ୍କ ଜାତକ ଗଣନା କରି ଭାଗ୍ୟରେ ‘ଜେଲ୍‌ଯୋଗ’ ରହିଥିବା ଏହି ଜ୍ୟୋତିଷ, ପଣ୍ଡିତମାନେ ଦେଖୁଛନ୍ତି ଏଥିରୁ ରକ୍ଷା ପାଇବା ପାଇଁ ପ୍ରତିକାର ସ୍ୱରୂପ ଜେଲଖାଦ୍ୟ ଭକ୍ଷଣ କରିବା ପାଇଁ ପରାମର୍ଶ ଦେଉଛନ୍ତି। ସେଥିପାଇଁ ଜେଲ୍‌ ଖାଦ୍ୟ କିଣିବାକୁ ଏ ଆତୁରତା ଓ ବ୍ୟାକୁଳତା!

ଏକଥାକୁ ବି ସ୍ୱୀକାର କରିଛନ୍ତି ଖୋଦ୍‌ ପଞ୍ଜାବର ଜେଲ ବିଭାଗ ମନ୍ତ୍ରୀ ସୁଖଜିନ୍ଦର ସିଂହ ରାନ୍ଧଓ୍ଵା। ସେ କହିଛନ୍ତି ଯେ ପୂର୍ବରୁ ଜେଲ ଖାଦ୍ୟ ବାହାରେ ବିକ୍ରୟ ପାଇଁ ସରକାରୀ ଅନୁମତି ନଥିଲା। ସେଥିପାଇଁ ବିଭିନ୍ନ ଗଳାବାଟରେ ଜେଲ ଖାଦ୍ୟ ବିକ୍ରି ହେଉଥିଲା। ତେଣୁ, ଜନତାଙ୍କ ଆଗ୍ରହ ଓ ଅନୁରୋଧକୁ ଦେଖି ଆମେ ଏହାକୁ ଏବେ ଆଇନ୍‌ ସମତ୍ତ କରିଦେବୁ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ତିନିଟି ବଡ଼ ବଡ଼ ଜେଲ- ଅମୃତସର, ଲୁଧିଆନା ଓ ଜଳନ୍ଧର- ଜେଲରେ ତିନିଟି କ୍ୟାଣ୍ଟିନ୍‌ ଖୋଲିବୁ ଓ ଗୋଟିଏ ଗୋଟିଏ ଖାଦ୍ୟ ଥାଳିକୁ ୨୦୦ ଟଙ୍କାରେ ସାଧାରଣ ଜନତାଙ୍କୁ ବିକ୍ରୟ କରିବୁ। ପରେ, ପର୍ଯ୍ୟାୟ କ୍ରମେ ରାଜ୍ୟର ଅନ୍ୟ ୨୭ଟି ଜେଲ୍‌ରେ ଯେଉଁଠାରେ ଚାହାଦା ଥିବା ଦେଖିବୁ ସେଠାରେ ମଧ୍ୟ ଏପରି କ୍ୟାଣ୍ଟିନ୍‌ ଖୋଲିବୁ ବୋଲି କହିଛନ୍ତି, ପଞ୍ଜାବର ଜେଲ ବିଭାଗ ମନ୍ତ୍ରୀ ସୁଖଜିନ୍ଦର ସିଂହ ରାନ୍ଧଓ୍ଵା।

ସମ୍ବନ୍ଧିତ ଖବର