ପଞ୍ଜାବ ରାଜନୀତି: ଚନ୍ନିଙ୍କ କ୍ୟାବିନେଟ୍‌, ସିଦ୍ଧୁଙ୍କ ଟିମ୍, କ୍ୟାପ୍‌ଟେନ୍‌ଙ୍କ ଶିବିର ପାଇଁ ସ୍ଥାନ ନାହିଁ

ଅମୃତସର: ପଞ୍ଜାବରେ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ସୁଧୁରିବାର ନାଁ ଧରୁନି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଯେଉଁ ସମସ୍ୟା ଉପୁଜିଥିଲା କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ସେହି ପଦରୁ ଇସ୍ତଫା ଦେବା ଓ ଦଳିତ ସମ୍ପ୍ରଦାୟର ଜଣେ ନେତା ଚରଣଜିତ୍ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯିବା ପରେ ସେହି ସମସ୍ୟାର ଅନ୍ତ ଘଟିଛି ସତ। କିନ୍ତୁ ତଥାପି ଆଭ୍ୟନ୍ତରୀଣ କନ୍ଦଳ ଓ ଅସନ୍ତୋଷ ଦୂର ହେଉନି।

ସୂଚନାଯୋଗ୍ୟ ଯେ, ରାଜ୍ୟ କଂଗ୍ରେସ ମୁଖିଆ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କ ଶିବିରରୁ ନୂଆ ମୁଖ୍ୟମନ୍ତ୍ରୀ ବଛାଗଲେ। ତା’ପରେ ଚେଷ୍ଟା ଚାଲିଛି କ୍ୟାପ୍‌ଟେନ୍‌ଙ୍କ ଶିବିରର ସମସ୍ତ ‌ମନ୍ତ୍ରୀଙ୍କୁ କେମିତି କ୍ୟାବିନେଟ୍‌ରୁ ବିଦା କରାଯିବ। ସିଦ୍ଧୁଙ୍କ ଶିବିର ଏଥିପାଇଁ ତାଙ୍କର ସମସ୍ତ ବଳ ଲଗାଇଦେଇଛି। ସେହି କାରଣରୁ କ୍ୟାପ୍‌ଟେନ୍‌ଙ୍କ ଶିବିରର ଜଣେ ହେଲେ ଲୋକଙ୍କୁ ଚନ୍ନିଙ୍କ ସହ ବିମାନରେ ଦେଖିବାକୁ ମିଳିଲା ନାହିଁ, ଯେଉଁମାନେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଉଭୟ ଉପମୁଖ୍ୟମନ୍ତ୍ରୀ ଓ ରାଜ୍ୟ କଂଗ୍ରେସ ସଭାପତି ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହ ବିମାନରେ ଆସିବାର ଦେଖିବାକୁ ମିଳିଲା। ଚନ୍ନିଙ୍କ ନୂଆ କ୍ୟାବିନେଟ୍‌ରେ କ୍ୟାପ୍‌ଟେନ୍‌ଙ୍କ ପୁରୁଣା କ୍ୟାବିନେଟ୍‌ର ଅଧିକାଂଶ ମନ୍ତ୍ରୀଙ୍କୁ ରଖା ନ ଯିବାର ବନ୍ଦୋବସ୍ତ କରାଯାଇଛି। ସିଦ୍ଧୁଙ୍କ ଶିବିରର ୫ ନୂଆ ମୁହଁକୁ ଚନ୍ନିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାର ସମ୍ଭାବନା ରହିଛି। ତେଣୁ କ୍ୟାପ୍‌ଟେନ୍‌ଙ୍କ ପୁରୁଣା କ୍ୟାବିନେଟ୍‌ର ସେତିକି ଜଣଙ୍କୁ ମନ୍ତ୍ରିପଦ ଛାଡ଼ିବାକୁ ପଡ଼ିପାରେ। ତେବେ ଅନୁମାନ କରାଯାଉଛି, କ୍ୟାପ୍‌ଟେନ୍‌ଙ୍କ ବିଶ୍ବସ୍ତ ଗୁମିତ ସିଂହ ସୋଧି ଓ ସାଧୁ ସିଂହ ଧରମସୋତ ମନ୍ତ୍ରୀ ଭାବେ ନିଜର ପଦ ବଜାୟ ରଖିପାରନ୍ତି। ପୁରୁଣା ମନ୍ତ୍ରିମଣ୍ଡଳରେ ସୋଧି କ୍ରୀଡ଼ାମନ୍ତ୍ରୀ ଓ ଧରମସୋତ ସାମାଜିକ ନ୍ୟାୟ ମନ୍ତ୍ରୀ ଥିଲେ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି, ଉଭୟ ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ନୂଆଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତା ବେଣୁଗୋପାଳଙ୍କ ବାସଭବନରେ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା କରିଛନ୍ତି। ଏକ ଘଣ୍ଟା ଧରି ବୈଠକ ଚାଲିଥିଲା। ବୈଠକରେ ଶେଷରେ ପଞ୍ଜାବ ପ୍ରଭାରୀ ରାୱତ କହିଲେ, ରାଜ୍ୟରେ ସବୁକିଛି ଠିକ୍ ଚାଲିଛି ଏବଂ ଏକ ନୂଆ କ୍ୟାବିନେଟ୍ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ତେବେ କେଉଁମାନେ ନୂଆ ମନ୍ତ୍ରୀ ହେବେ ସେ ନେଇ ସେ କିଛି କହି ନାହାନ୍ତି।

ସମ୍ବନ୍ଧିତ ଖବର