ପଞ୍ଜାବ ରାଜନୀତି; ଇମ୍ରାନ ମୋର ‘ବଡ଼ ଭାଇ’: ସିଦ୍ଧୁ

ବରିଷ୍ଠ କଂଗ୍ରେସ ନେତାଙ୍କ ବିରୋଧ, କଡ଼ା ସମାଲୋଚନା କଲା ବିଜେପି

ନୂଆଦିଲ୍ଲୀ : ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ପୁଣିଥରେ ବିବାଦୀୟ ବୟାନ ଦେଇ ଦଳର ଅଡ଼ୁଆ ବଢ଼ାଇଛନ୍ତି। ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ‘ବଡ଼ ଭାଇ’ ସମ୍ବୋଧନ କରିବା ସହ ପାକିସ୍ତାନକୁ ବହୁତ ଭଲ ପାଉଥିବା କହିଛନ୍ତି। କରତାରପୁର ସାହିବ ଗୁରୁଦ୍ବାରରେ କରତାରପୁର ପ୍ରକ୍ରଳ୍ପର ସିଇଓମାନଙ୍କ ସହ କଥାବାର୍ତ୍ତା ସମୟରେ ସିଦ୍ଧୁ ଏଭଳି ବୟାନ ଦେଇଛନ୍ତି। ସିଦ୍ଧୁ ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ତାଙ୍କର ବହୁତ ଭଲପାଇବା ରହିଛି। ବିଜେପି ସିଦ୍ଧୁଙ୍କର ଏହି ଟିପ୍ପଣୀ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛି।

ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ରାହୁଲ ଗାନ୍ଧିଙ୍କ ପ୍ରିୟ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ‘ବଡ଼ ଭାଇ’ କହିବା ସହ ଆଦର୍ଶ କରିଛନ୍ତି। ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧି ବରିଷ୍ଠ ନେତା ଅମରିନ୍ଦରଙ୍କ ବଦଳରେ ପାକିସ୍ତାନକୁ ଭଲପାଉଥିବା ସିଦ୍ଧୁଙ୍କୁ ବାଛିବା କିଛି ନୂଆ କଥା ନୁହେଁ ବୋଲି ସେ କହିଛନ୍ତି। ବିଜେପି କହିଛି, କଂଗ୍ରେସ ନେତାମାନେ ହିନ୍ଦୁତ୍ବରେ ବୋକ ହରାମ ଏବଂ ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍‌କୁ ଦେଖୁଛନ୍ତି। ଅନ୍ୟପକ୍ଷେ ଏହା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ‘ଭାଇଜାନ୍‌’ଙ୍କୁ ପାଇଛି। ପଂଜାବ କଂଗ୍ରେସରେ ମଧ୍ୟ ବହୁ ନେତା ସିଦ୍ଧୁଙ୍କ ଏଭଳି ବୟାନକୁ ନାପସନ୍ଦ କରିଛନ୍ତି। ଏହାଦ୍ବାରା ଦଳ ଳ ଅଯଥା ବଦନାମ ହେଉଛି ବୋଲି କେତେକ ବରିଷ୍ଠ ନେତା ମତପ୍ରକାଶ କରିଛନ୍ତି। କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି, ସିଦ୍ଧୁଙ୍କର ଏଭଳି ବୟାନକୁ ଏଆଇସିସି ଗୁରୁତ୍ବର ସହ ନେବା ଉଚିତ ଏବଂ ଦଳ ସ୍ବାର୍ଥରେ ଏଭଳି ବୟାନ କଦାପି ଗ୍ରହଣୀୟ ନୁହେଁ। କଂଗ୍ରେସ ସଂଗଠନକୁ ଏଭଳି ବୟାନ ଦୁର୍ବଳ କରିଦେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର