ଦିଲ୍ଲୀ ହିଂସାକାଣ୍ଡ ପାଇଁ ଉସୁକାଇଥିଲେ ଏହି ପଞ୍ଜାବୀ ଅଭିନେତା

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକମାନଙ୍କ ଦ୍ୱାରା ଆୟୋଜିତ ଟ୍ରାକ୍ଟର ପରେଡ ଓ ଏହା ପରବର୍ତ୍ତୀ ହିଂସାକାଣ୍ଡ ପାଇଁ ମାଷ୍ଟରମାଇଣ୍ଡ କିଏ ଏବେ ତାହା ପୁଲିସ ଖୋଜୁଛି | ଗତକାଲି ଜାନୁୟାରୀ ୨୬ରେ ବିକ୍ଷୋଭକାରୀମାନେ କେବଳ ବିଭିନ୍ନ ସ୍ଥାନରେ ହିଂସା କରିନଥିଲେ ବରଂ ପୁଲିସ ଉପରେ ମଧ୍ୟ ଆକ୍ରମଣ କରିଥିଲେ | ଏତିକିରେ ଥମିନଥିଲା ବିକ୍ଷୋଭକାରୀଙ୍କ ନିନ୍ଦନୀୟ କାର୍ଯ୍ୟ | ଲାଲକିଲ୍ଲାରେ ବହୁ ସଂଖ୍ୟାରେ କୃଷକଙ୍କୁ ଉସୁକାଇ ପତାକା ମଧ୍ୟ ଉଡାଇଥିଲେ | ଏହି ଘଟଣା ପରେ ବର୍ତ୍ତମାନ ଅପରାଧୀଙ୍କୁ ଖୋଜାଯାଉଛି।

ଅଭିଯୋଗ ହୋଇଛି ଯେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ଥିଲେ, ଯିଏ କୃଷକଙ୍କ ଟ୍ରାକ୍ଟର ରାଲିରେ ଚାଷୀଙ୍କୁ ଉତ୍ତେଜିତ କରି ଲାଲକିଲ୍ଲାକୁ ନେଇଥିଲେ। ପେସାରେ ଜଣେ ଅଭିନେତା ଥିବା ଦୀପ ସିଦ୍ଧୁଙ୍କୁ ନେଇ କୃଷକ ନେତାମାନେ ଅଭିଯୋଗ କରିଛନ୍ତି ଯେ ଦୀପ ସିଦ୍ଧୁ କୃଷକମାନଙ୍କୁ ଲାଲକିଲ୍ଲା ଯିବାକୁ ଉସୁକାଇଥିଲେ | ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ଦୀପ ସିଦ୍ଧୁ ଜାନୁଆରୀ ୨୫ ରାତିରେ ବିକ୍ଷୋଭକାରୀଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରିଥିଲେ।

ଦୀପ ସିଦ୍ଧୁ କିପରି ମାଇକ୍ରୋଫୋନ୍ ସାହାଯ୍ୟରେ ଲାଲକିଲ୍ଲାରେ ପହଞ୍ଚିଲେ ତାହା ଅନୁସନ୍ଧାନ କରାଯିବା ଉଚିତ୍। ତେବେ ଏହି ଘଟଣାକୁ ନେଇ ଦୀପ ସିଦ୍ଧୁ କହିଛନ୍ତି ଯେ ‘ଆମେ ଲାଲକିଲ୍ଲାରେ କେବଳ ନିଶାନ ସାହିବଙ୍କ ପତାକା ଉତ୍ତୋଳନ କରିଛୁ ଏବଂ ବିରୋଧ କରିବା ଆମର ଗଣତାନ୍ତ୍ରିକ ଅଧିକାର | ତେବେ ଏହି ସମୟରେ ଭାରତୀୟ ପତାକା ହଟାଯାଇ ନାହିଁ’। ସୂଚନା ଥାଉ କି ଦିଲ୍ଲୀ ପୁଲିସର ସୂଚନାନୁସାରେ ବିକ୍ଷୋଭକାରୀଙ୍କ ହିଂସାରେ ୮୩ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର