ମୁସେୱାଲାଙ୍କ ମୃତ୍ୟୁ ପରେ ପଞ୍ଜାବୀ କଣ୍ଠଶିଳ୍ପୀ ଜାନୀଙ୍କୁ ହତ୍ୟା ଧମକ, ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ସୁରକ୍ଷା

ଚଣ୍ଡୀଗଡ଼: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ଅନେକ ପଞ୍ଜାବୀ କଣ୍ଠଶିଳ୍ପୀ ସୁରକ୍ଷା ପାଇଁ ଦାବି କରୁଛନ୍ତି। ଅତୀତରେ ମିକା ସିଂ ସୁରକ୍ଷା ପାଇଁ ଦାବି କରିବା ପରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ମିକାଙ୍କୁ ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ପଞ୍ଜାବର ପ୍ରସିଦ୍ଧ କଣ୍ଠଶିଳ୍ପୀ ଜାନୀଙ୍କୁ ହତ୍ୟା ଧମକ ମିଳିବା ଆରମ୍ଭ ହୋଇଛି। କଣ୍ଠଶିଳ୍ପୀ ଜାନୀ ପଞ୍ଜାବର ଡିଜିପି ଓ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ସୁରକ୍ଷା ମାଗି ଏକ ଚିଠି ଲେଖିଛନ୍ତି। ଚିଠିରେ କିଛି ଗ୍ୟାଙ୍ଗଷ୍ଟରଙ୍କଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଜାନୀ।

ଜାନୀ ନିଜ ଚିଠିରେ ଲେଖିଛନ୍ତି ଯେ ତାଙ୍କୁ ଫୋନ କରି ହତ୍ୟା ଧମକ ଦିଆଯାଉଛି। ଏହି କାରଣରୁ ସେ ତାଙ୍କ ପରିବାରକୁ ବିଦେଶକୁ ସ୍ଥାନାନ୍ତର କରିଛନ୍ତି। ଜାନୀଙ୍କ ଅନୁଯାୟୀ ତାଙ୍କ ମ୍ୟାନେଜରଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ଏଭଳି ପରିସ୍ଥିତିରେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଚିଠି ଲେଖି ସମଗ୍ର ଘଟଣା ସମ୍ପର୍କରେ ସୂଚନା ଦେବା ସହ ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।

ଗତ କିଛି ଦିନ ହେବ ଅନେକ ସେଲିବ୍ରିଟିଙ୍କୁ ମୃତ୍ୟୁ ଧମକ ମିଳିଥିଲା। ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସଲମାନ ଖାନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି। ଯାହା ପରେ ତାଙ୍କର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ଏହା ସହ ଆତ୍ମରକ୍ଷା ନିମନ୍ତେ ଅସ୍ତ୍ରଶସ୍ତ୍ର ଲଇସେନ୍‌ସ ପାଇଁ ଆବେଦନ କରିଥିବା ଅଭିନେତା ସଲ୍‌ମନ୍‌ ଖାଁଙ୍କୁ ‘ଆର୍ମସ୍‌ ଲାଇସେନ୍‌ସ୍‌’ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର