ନୂଆଦିଲ୍ଲୀ: ପଂଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ଆଜି ମନସା ଜିଲ୍ଲାରେ ଗୁଳିକରି ହତ୍ୟା କରାଯାଇଛି। ଜବାହରକେ ଗ୍ରାମ ନିକଟରେ ଘଟିଥିବା ଏହି ଗୁଳିକାଣ୍ଡରେ ମୁସେୱାଲାଙ୍କ ଅନ୍ୟ ତିନି ଜଣ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ମନସା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିନକ ତଳେ ପଂଜାବ ସରକାର ମୁସେୱାଲାଙ୍କ ସମେତ ୪୨୪ ଜଣଙ୍କ ସୁରକ୍ଷା ହଟାଇ ଦେଇଥିଲେ। ଆଜି ଅପରାହ୍ନରେ ସେ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ରାସ୍ତାରେ ଅଜଣା ଆତତାୟୀମାନେ ତାଙ୍କୁ ଅତି ପାଖରୁ ଗୁଳି କରି ହତ୍ୟା କରିଛନ୍ତି। ଅକାଳୀ ନେତା ଭିକ୍କୁ ମିଦୁଖେଡ଼ାଙ୍କୁ ହତ୍ୟା ମାମଲାରେ ମୁସେୱାଲା ଜଣେ ଅଭିଯୁକ୍ତ ଥିଲେ। ଗତ ସପ୍ତାହରେ ମୁସେୱାଲା ଗୁରୁଗ୍ରାମରେ ତାଙ୍କ ସୋ କରିବା ଯୋଜନା ଥିଲା। ମୁସେୱାଲା ମନସାରେ କଂଗ୍ରେସ ଟିକଟରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ତାଙ୍କୁ ଆମ୍ ଆଦ୍ମୀ ପାର୍ଟିର ବିଜୟ ସିଙ୍ଗଲା ହରାଇଥିଲା। ସିଂଗଲା ଭଗୱନ୍ତ ମାନ ସରକାରରେ ମନ୍ତ୍ରୀ ଥିଲେ ଏବଂ ତାଙ୍କୁ ନିକଟରେ ଦୁର୍ନୀତି ଅଭିଯୋଗରେ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି।
ଲୋକପ୍ରିୟ ଗାୟକ ମୁସେୱାଲାଙ୍କ ହତ୍ୟାକୁ ନେଇ ମନସା ଜିଲ୍ଲାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି କଡ଼ା ପୁଲିସ ବନ୍ଦୋବସ୍ତ ହୋଇଛି। ମୁସେୱାଲାଙ୍କ ମା’ ଏବେ ସରପଂଚ ଅଛନ୍ତି। ମୁସେୱାଲା ବିଭିନ୍ନ କାରଣରୁ ବିବାଦୀୟ ଥିଲେ। ୨୦୨୦ରେ ଏକ ଏକେ-୪୭ ବନ୍ଧୁକରୁ ଗୁଳି ଫୁଟାଇ ସେ ଚର୍ଚ୍ଚାରେ ରହିଥିଲେ ଏବଂ ଏହି ମାମଲାରେ ଜାମିନରେ ମୁକୁଳିଥିଲେ। ମୁସେୱାଲାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିଥିବା ବେଳେ ପୂର୍ବରୁ ମଧ୍ୟ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ପୂର୍ବ କଂଗ୍ରେସ ସରକାର ଅମଳରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଗତକାଲି ଅଚାନକ ମୁସେୱାଲାଙ୍କ ସୁରକ୍ଷା ପ୍ରତ୍ୟାହାର ପରେ ଆଜି ତାଙ୍କୁ ହତ୍ୟା କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।