ଅକ୍ଟୋବର ୧ ତାରିଖରୁ କେବଳ ବିକ୍ରି ହେବ ଶୁଦ୍ଧ ସୋରିଷ ତେଲ

ନୂଆଦିଲ୍ଲୀ: ଏଣିକି ବଜାରରେ କେବଳ ବିକ୍ରି ହେବ ଶୁଦ୍ଧ ସୋରିଷ ତେଲ । ଏହି ତେଲରେ ଅନ୍ୟ କୌଣସି ତେଲର ଅପମିଶ୍ରଣ ହେବ ନାହିଁ । ଆସନ୍ତା ୧ ତାରିଖରୁ ସୋରିଷ ତେଲ ସହ ଅନ୍ୟ କୌଣସି ତେଲର ମିଶ୍ରଣକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ କରାଯାଇଛି । ଖାଉଟିଙ୍କୁ ଶୁଦ୍ଧ ସୋରିଷ ତେଲ ଯୋଗାଇଦେବାକୁ ବଡ଼ ପଦକ୍ଷେପ ନେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫଏସଏସଏଆଇ । ସୋରିଷ ତେଲର ଶୁଦ୍ଧତାକୁ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏଫଏସଏସଏଆଇ ଏଭଳି ନିଷ୍ପତ୍ତି ନେଇଛି ।

ଯାହାଦ୍ୱାରା ଘରେ ଘରେ ବ୍ୟବହାର ହେଉଥିବା ସୋରିଷ ତେଲରେ ଅନ୍ୟ ତେଲର ମିଶ୍ରଣକୁ ରୋକାଯାଇପାରିବ । ଶୁଦ୍ଧ ସୋରିଷ ତେଲର ଉତ୍ପାଦନ ବୃଦ୍ଧି ସହ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ସୋରିଷ ତେଲ ସହ ଅନ୍ୟ ତେଲର ମିଶ୍ରଣକୁ ବନ୍ଦ କରିବାକୁ ଏହାପୂର୍ବରୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ତେବେ ପୂର୍ବରୁ ସୋରିଷ ତେଲ ସହ ଅନ୍ୟ ତେଲର ମିଶ୍ରଣରେ ପ୍ରସ୍ତୁତ ତେଲ ବଜାରରେ ବିକ୍ରି ପାଇଁ ଅନୁମତି ଥିଲା ।

କିନ୍ତୁ ବେଶ କିଛି ଦିନ ହେବ ସୋରିଷ ତେଲର ମୂଲ୍ୟ ବାରମ୍ବାର ବୃଦ୍ଧି ହେଉଥିବାରୁ ସୋରିଷ ତେଲରେ ଅନ୍ୟ ତେଲର ମିଶ୍ରଣର ଆଶଙ୍କା ବେଶ ବଢିଯାଇଥିଲା । ଏଭଳି ସ୍ଥଳେ ସୋରିଷ ତେଲ ସହ ଅନ୍ୟ ତେଲର ମିଶ୍ରଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଏଫଏସଏସଏଆଇକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର, ଯାହା ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ ।

ସମ୍ବନ୍ଧିତ ଖବର