ପୁରୀ ବିମାନ ବନ୍ଦର ପ୍ରସଂଗ: ରାଜ୍ୟ ଉପରେ ନିର୍ଭର କରୁଛି

ଲୋକସଭାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

ବିଜୁ ବାବୁଙ୍କ ଡାକୋଟା ଏୟାରକ୍ରାଫଟ ଭୁବନେଶ୍ବର ସ୍ଥାନାନ୍ତର ହେବ
ଝାରସୁଗୁଡ଼ାରେ ଖୋଲିବ ବିମାନ ପ୍ରଶିକ୍ଷଣ ସଂସ୍ଥା

ନୂଆଦିଲ୍ଲୀ : ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଚାଲିଛି କସରତ। ଏହାକୁ ତ୍ବରାନ୍ବିତ କରିବାରେ କେନ୍ଦ୍ର ସରକାରଙ୍କ ମନ୍ଥରତା ଅଭିଯୋଗ ହେଉଥିବା ବେଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓଡ଼ିଶା ସରକାରଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି। ଆଜି ଲୋକସଭାରେ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖିବା ବେଳେ ଶ୍ରୀ ସିନ୍ଧିଆ କହିଛନ୍ତି, ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ରାଜ୍ୟ ସରକାରଙ୍କୁ କାର୍ଯ୍ୟକାରିତା (ଫିଜିବିଲିଟି) ରିପୋର୍ଟ ହସ୍ତାନ୍ତର କରାଯାଇଛି। ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା। ନିଷ୍ପତ୍ତି ଆସିବା ପରେ କାର୍ଯ୍ୟ ତ୍ବରାନ୍ବିତ ହେବ। ଏହା ଦ୍ବାରା ସେ କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗତକାଲି ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ ପୁରୀ ବିମାନ ବନ୍ଦରକୁ କାର୍ଯ୍ୟକାରୀ କରିବାରେ ହେଉଥିବା ବିଳମ୍ବକୁ ନେଇ ଅଭିଯୋଗ ଆଣିଥିଲେ।

ଖର୍ଚ୍ଚ ଦାବି ଆଲୋଚନାରେ ମଧ୍ୟ ଶ୍ରୀମତୀ ସେଠୀ ବିଜୁ ବାବୁଙ୍କ ଡାକୋଟା ଏୟାରକ୍ରାଫ୍‌ଟ ପ୍ରସଙ୍ଗ ଉଠାଇଥିଲେ। ଶ୍ରୀ ସିନ୍ଧିଆ ଏହି ପ୍ରସଙ୍ଗରେ ଉତ୍ତର ଦେଇ କହିଲେ, ବିଜୁ ବାବୁଙ୍କ ଡାକୋଟା ଏୟାରକ୍ରାଫ୍‌ଟ କୋଲକାତାରୁ ଭୁବନେଶ୍ବର ସ୍ଥାନାନ୍ତର ପାଇଁ ଭାରତୀୟ ବିମାନ ପ୍ରାଧିକରଣ ଦ୍ବାରା ଯାହା କିଛି ଅନୁମତି ଆବଶ୍ୟକ, ତାକୁ ଶୀଘ୍ର ଉପଲବ୍ଧ କରାଯିବ। ଡିଜିସିଏ ଓ ବିସିଏଏସ୍‌ ବଜେଟ୍‌ ହ୍ରାସ ନେଇ ସାଂସଦ ଶ୍ରୀମତୀ ସେଠୀଙ୍କ ଅଭିଯୋଗକୁ ଖଣ୍ଡନ କରି ଶ୍ରୀ ସିନ୍ଧିଆ କହିଲେ, ଚଳିତ ବଜେଟରେ ଡିଜିସିଏର ୧୬ ପ୍ରତିଶତ ଏବଂ ବିସିଏଏସ୍‌ର ୪୪ ପ୍ରତିଶତ ବଜେଟ୍‌ ବୃଦ୍ଧି କରାଯାଇଛି।

ଶ୍ରୀ ସିନ୍ଧିଆ କହିଲେ, ଦେଶରେ ବର୍ତ୍ତମାନ ୩୪ଟି ବିମାନ ପ୍ରଶିକ୍ଷଣ ସଂସ୍ଥା (ଏଫ୍‌ଟିଓ) କାର୍ଯ୍ୟକ୍ଷମ ଅଛି। ଆଗାମୀ ଏକ ବର୍ଷ ମଧ୍ୟରେ ୯ଟି ଏଫ୍‌ଟିଓ ଦେଶର ବିଭିନ୍ନ ଭାଗରେ ସ୍ଥାପନ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଶାର ଝାରସୁଗୁଡ଼ା ସମେତ ଦେଶର ୧୦ଟି ବିମାନ ବନ୍ଦରରେ ୧୫ଟି ଏଫଟିଓ ସ୍ଥାପନ ହେବ। ଝାରୁସୁଗୁଡ଼ାରୁ ବିମାନ ଚଳାଚଳ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ସେ ଖୁସି ବ୍ୟକ୍ତ କରିଥିଲେ। ଶ୍ରୀ ସିନ୍ଧିଆ କହିଲେ, ବର୍ତ୍ତମାନର ଝାରସୁଗୁଡ଼ା ବିମାନ ବନ୍ଦର ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ଏୟାରଷ୍ଟ୍ରିପ୍‌ ଥିଲା। ଏବେ ଏହା ସହିତ ବ‌ାଙ୍ଗାଲୋର, କୋଲକାତା, ହାଇଦ୍ରାବାଦ, ରାୟପୁର ଓ ଭୁବନେଶ୍ବର ବିମାନ ବନ୍ଦର ଯୋଡ଼ିହୋଇଛି। ଏହି ବିମାନ ବନ୍ଦର ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହୋଇଥିବାରୁ ଏହା ତାଙ୍କ ନାମରେ ପ୍ରଚଳିତ ହେଉ ବୋଲି ସେ ସମସ୍ତଙ୍କୁ ନିବେଦନ କରିଥିଲେ। ଏହା ‘ଉଡ଼ାନ ଯୋଜନା’ ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିବା ସହ ଗତ ୧୧ ମାସ ମଧ୍ୟରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ପାଖାପାଖି ଅଢ଼େଇ ଲକ୍ଷ ଯାତ୍ରୀ ଯାତ୍ରା କରିଥିବା ଶ୍ରୀ ସିନ୍ଧିଆ ସୂଚନା ଦେଇଥିଲେ। ଶ୍ରୀ ସିନ୍ଧିଆ ଉତ୍ତର ରଖିବା ବେଳେ ବିଜୁ ବାବୁଙ୍କ ଡାକୋଟା ଏୟାରକ୍ରାଫ୍‌ଟ ଓ ଝାରସୁଗୁଡ଼ା ବିମାନ ବନ୍ଦର ଉପରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର