ସୁପ୍ରିମ‌୍ କୋର୍ଟଙ୍କ ‌ଐତିହାସିକ ରାୟ : ବିନା ଭକ୍ତରେ ରଥଯାତ୍ରା

ନୂଆଦିଲ୍ଲୀ, (ନଇମ ଅଖତାର) : ଏକାଧିକ ସର୍ତ୍ତ ସହ କେବଳ ପୁରୀ ରଥଯାତ୍ରାକୁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି। ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଜି ଗତ ୧୮ ତାରିଖର ଆଦେଶରେ ପରିବର୍ତ୍ତନ କରିଛନ୍ତି। କଟକଣା ସହ ବିନା ଭକ୍ତରେ ରଥଯାତ୍ରା ଲାଗି ଅନୁମତି ପ୍ରଦାନ କରାଯାଇଛି।

ପ୍ରଧାନ ବିଚାରପତି ସ୍ପଷ୍ଟ ଭାବେ କହିଛନ୍ତି ଯେ ଶ୍ରୀମନ୍ଦିର ପରିଚାଳନା କମିଟି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମନ୍ବୟରେ ରଥଯାତ୍ରା ଆୟୋଜନ ହେବ। ‌ତେବେ ଲୋକଙ୍କ ସ୍ବାସ୍ଥ୍ୟ ସହିତ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ଯଦି ଏହି ସମୟରେ ପରିସ୍ଥିତି ଖରାପ ହୁଏ, ତେବେ ରାଜ୍ୟ ସରକାର ରଥଯାତ୍ରାକୁ ବନ୍ଦ କରିପାରିବେ। ରଥଯାତ୍ରାରେ ଭକ୍ତମାନେ ଏକତ୍ରିତ ହେବେ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଡ଼ା କଟକଣା ଓ ନୀତି ନିୟମରେ ପୁରୀରେ ରଥଯାତ୍ରା ହେବ।

The Hindu

ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରକାଶ ପାଇବା ପାଇବା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଲାଗି ରହିଥିବା ଆଶଙ୍କା ଓ ସଂଶୟ ସମ୍ପୂର୍ଣ୍ଣ ଦୂର ହୋଇଛି। ତମାମ ବିଶ୍ବର ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ରଥଯାତ୍ରା ଉପରେ ସ୍ଥଗିତାଦେଶ ଜାରି କରିବା ପରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ରଥଯାତ୍ରାକୁ ଅନୁମତି ଦେବା ଲାଗି ଏକାଧିକ ମୋଡିଫିକେସନ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଇଣ୍ଟରଭେନ୍‌ସନ୍‌ ଆବେଦନ ଓ ମୋଡିଫିକେସନ ଆବେଦନର ମିଳିତ ଶୁଣାଣି ପାଇଁ ଆଜି ଜଣିକିଆ ବେଞ୍ଚରେ ସମୟ ଧାର୍ଯ୍ୟ କରାଯାଇଥିଲା।

ଶେଷ ମୁହୂର୍ତରେ ଅବକାଶକାଳୀନ ଖଣ୍ଡପୀଠ ଶୁଣିଲେ
ଆଜି ଏକ ନାଟକୀୟ ଘଟଣାକ୍ରମରେ କେନ୍ଦ୍ର ସରକାର ମୋଡ଼ିଫିକେସନ ପିଟିସନକୁ ସମର୍ଥନ ଜଣାଇ ଆଜି ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ଅବସରକାଳୀନ ବେଞ୍ଚରେ ଆବେଦନ କରିଥିଲେ। ଅନ୍ୟପଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ରଥଯାତ୍ରାର ଆୟୋଜନ ପାଇଁ ତିନି ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଥିଲା। ଗଜପତି ମହାରାଜାଙ୍କ ପ୍ରସ୍ତାବକ୍ରମେ ସୀମିତ ପ୍ରକ୍ରିୟାରେ ବିନା ଭକ୍ତରେ ରଥଯାତ୍ରା କରାଯାଇପାରିବ ବୋଲି ସତ୍ୟପାଠ ଦାଖଲ କରିଥିଲେ ଓଡ଼ିଶା ସରକାର। ଫଳରେ କେନ୍ଦ୍ରର ମୋଡିଫିକେସନ ଆବେଦନ ଓ ରାଜ୍ୟର ସତ୍ୟପାଠ ଯୋଗୁଁ ମାମଲାର ତ୍ବରିତ ଶୁଣାଣିର ଆଶା ଉଜ୍ଜିବୀତ ହୋଇ ଉଠିଥିଲା।

ଆସନ୍ତାକାଲି ପୁରୀରେ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିବା ପାଇଁ ଆଜି ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅବକାଶକାଳୀନ ଖଣ୍ଡପୀଠର ଦ୍ବାରସ୍ଥ ହୋଇଥିଲେ। ବିଚାରପତି ଅରୁଣ ମିଶ୍ର ଓ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ଜୁନ ୧୮ ଆଦେଶକୁ ମୋଡିଫିକେସନ କରିବା ପାଇଁ ସେ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ମେହେଟ୍ଟା ମାମଲାର ତ୍ବରିତ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ଆସନ୍ତାକାଲି ରଥଯାତ୍ରା ଥିବାରୁ କେନ୍ଦ୍ର ସରକାର ରଥଯାତ୍ରାକୁ ସମର୍ଥନ କରୁଛନ୍ତି। କୋଭିଡ ଗାଇଡଲାଇନ୍ ଅନୁଯାୟୀ ସେ ରଥଯାତ୍ରା ଆୟୋଜନ କରିବାକୁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ଆବାହମାନ କାଳରୁ ରଥଯାତ୍ରା ଚାଲିଆସୁଛି। ଏଭଳି ପରମ୍ପରାକୁ ବନ୍ଦ କରା ନଯାଉ। ରଥଯାତ୍ରା ଜଗନ୍ନାଥ ‌ପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ। ଗୋଟିଏ ଥର ରଥଯାତ୍ରା ବନ୍ଦ ହେଲେ ୧୨ ବର୍ଷ ପର୍ଯ୍ୟନ୍ତ ରଥଯାତ୍ରା ବନ୍ଦ ରହିବ ବୋଲି ସେ ମାଦଳା ପାଞ୍ଜିର ତଥ୍ୟ ଆଧାରରେ କହିଥିଲେ। ଆସନ୍ତାକାଲି ଯଦି ରଥଯାତ୍ରା ବନ୍ଦ ରହେ ତା’ହେଲେ ୧୨ ବର୍ଷ ପର୍ଯ୍ୟନ୍ତ ମହାପ୍ରଭୁ ବାହାରକୁ ବାହାରି ପାରିବେ ନାହିଁ ବୋଲି ସଲିସିଟର ଜେନେରାଲ ‌ସର୍ବୋଚ୍ଚ ଅଦାଲତରେ ତଥ୍ୟ ଉପସ୍ଥାପନ ସମୟରେ କହିଥିଲେ। ଅତଏବ କରୋନା କଟକଣାର ନିୟମ ଅନୁଯାୟୀ ରଥଯାତ୍ରାକୁ ଅନୁମତି ଦେବା ପାଇଁ ସେ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ରଥଯାତ୍ରା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବା ସହିତ ରଥଯାତ୍ରା କିଭଳି ଆୟୋଜନ କରାଯିବ ସେ ନେଇ କିଛି ପ୍ରସ୍ତାବ ମଧ୍ୟ ସଲିସିଟର ଜେନେରାଲ ଖଣ୍ଡପୀଠଙ୍କ ସମ୍ମୁଖରେ ରଖିଥିଲେ। ପ୍ରସ୍ତାବରେ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଅନୁରୋଧ କରିଥିଲେ। ଲୋକ ସମାଗମ ହୋଇପାରିବ ନାହିଁ। ଭକ୍ତମାନେ ଟେଲିଭିଜନରେ ଜଗନ୍ନାଥଙ୍କର ଦର୍ଶନ କରିବା ସହିତ ଆଶୀର୍ବାଦ ନେଇପାରିବେ ବୋଲି ସେ କହିଥିଲେ। ମହାମାରୀ ଯେଭଳି ନ ବ୍ୟାପେ ସେନେଇ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେଇପାରିବେ ବୋଲି ସେ କହିଥିଲେ। ରାଜ୍ୟ ସରକାର ପୁରୀରେ କର୍ଫ୍ୟୁ ଜାରି କରି, ସାମାଜିକ ଦୂରତା ପାଳନ କରି ରଥଯାତ୍ରା ଆୟୋଜନ କରିପାରିବେ। ସେବାୟତ ଓ ପଣ୍ଡା ଯେଉଁମାନଙ୍କର କୋଭିଡ ପରୀକ୍ଷା ରିପୋର୍ଟରେ ନେଗେଟିଭ ଆସିଛି ଶଙ୍କରାଚାର୍ଯ୍ୟଙ୍କ ରୀତିନୀତି ଅନ୍ତର୍ଗତ ସେମାନେ ରଥଟଣାରେ ସାମିଲ ହୋଇପାରିବେ।

ସଲିସିଟର ଜେନେରାଲ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲାରେ ନିୟୋଜିତ ଆଇନଜୀବୀଙ୍କ ଯୁକ୍ତି ଶୁଣିବା ପରେ ଅବସରକାଳୀନ ବେଞ୍ଚର ଜଷ୍ଟିସ ଅରୁଣ ମିଶ୍ର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାେର ତିନିଜଣିଆ ବେଞ୍ଚରେ ଶୁଣିବେ ବୋଲି କହିଥିଲେ। ପ୍ରଧାନ ବିଚାରପତି ନାଗପୁରରେ ଗ୍ରୀଷ୍ମକାଳୀନ ଅବକାଶରେ ଥିବାରୁ ଭି଼ଡିଓ କନଫରେନ୍ସିଂରେ ସେ ମଧ୍ୟ ମାମଲାରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଇଥିଲେ। ଅନ୍ୟ ଦୁଇ ଜଣ ବିଚାରପତି ଜଷ୍ଟିସ ଏ ଏସ୍ ବୋପାନ୍ନା ଓ ବିଚାରପତି ଦିନେଶ ମାହେଶ୍ବରୀ ଶୁଣାଣି ପାଇଁ ଦିଲ୍ଲୀରୁ ପ୍ରସ୍ତୁତ ହୋଇଥିଲେ। ସ୍ବତନ୍ତ୍ର ଭି଼ଡିଓ କନଫରେନ୍ସିଂର ବ୍ୟବସ୍ଥା ହୋଇଥିଲା।

ବିଳମ୍ବରେ ଆରମ୍ଭ ହେଲା ଶୁଣାଣି
ସାଢେ ଦୁଇଟାରେ ମାମଲାର ଶୁଣାଣି ପାଇଁ ପ୍ରସ୍ତୁତ ହୋଇଥିଲେ ହେଁ ଢେର୍ ବିଳମ୍ବରେ ଶୁଣାଣି ଆରମ୍ଭ ହୋଇଥିଲା। ଶୁଣାଣି ଆରମ୍ଭ ହେବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୁଷାର ମେହେଟ୍ଟା କହିଥିଲେ, ସ୍ବାସ୍ଥ୍ୟ ଓ ସୁରକ୍ଷାରେ ସାଲିସ୍ କରାନଯାଇ ରଥଯାତ୍ରାର ଆୟୋଜନ କରାଯାଇପାରିବ, ଏ ନେଇ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ସ ରହିଛି। ପୁରୀରେ ରଥଯାତ୍ରା ସମୟରେ ଲୋକଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ନେଇ କୌଣସି ସାଲିସ କରାଯାଇ ପାରିବ ନାହିଁ ବୋଲି ସେ ଖଣ୍ଡପୀଠଙ୍କ ନିକଟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ସେ ପୁଣି କହିଥିଲେ, ରାଜ୍ୟ ସରକାର ମଧ୍ୟ କହିସାରିଛନ୍ତି ରଥଯାତ୍ରା କେବଳ ପୁରୀରେ ସୀମିତ ରହିବ।

ଦାୟିତ୍ବବାନ ରାଜ୍ୟ ସରକାରଙ୍କ ଉପରେ ସବୁକିଛି ନିଷ୍ପତ୍ତି ଛାଡ଼ି ଦିଆଯାଇଛି
ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିରିଷ୍ଠ ଆଇନଜୀବୀ ହରିଶ୍‌ ସାଲ୍‌ଭେ କହିଥିଲେ ପୁରୀରେ ରଥଯାତ୍ରା ପାଇଁ କର୍ଫ୍ୟୁ ଜାରି କରାଯିବ। କୋଭିଡ୍‌ ପରୀକ୍ଷା କରାଯାଇ କେବଳ ସେବାୟତମାନଙ୍କୁ ରଥଯାତ୍ରା ପାଇଁ ଅନୁମତି ଦିଆଯିବ। ରଥଯାତ୍ରାରେ ଲୋକଙ୍କୁ ବାରଣ କରାଯିବ। ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ବରିଷ୍ଠ ଓକିଲ ରଞ୍ଜିତ କୁମାର ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ବ୍ୟକ୍ତିମାନଙ୍କୁ ମନ୍ଦିର ପରିସରରେ ପ୍ରବେଶ କରିବାର ଅନୁମତି ଦେବା ପାଇଁ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ରଞ୍ଜିତ କୁମାର କହିଥିଲେ, ବର୍ତ୍ତମାନ ୨୫୦୦ ପଣ୍ଡା ରହିଛନ୍ତି। ଏହା ଉପରେ ମନ୍ତବ୍ୟ ଦେଇ ପ୍ରଧାନ ବିଚାରପତି କହିଥିଲେ, ମାଇକ୍ରୋ ପରିଚାଳନା ପାଇଁ କୋର୍ଟ କିଛି କରିବେ ନାହିଁ। ଦାୟିତ୍ବବାନ ରାଜ୍ୟ ସରକାରଙ୍କ ଉପରେ ସବୁକିଛି ନିଷ୍ପତ୍ତି ଛାଡ଼ି ଦିଆଯାଇଛି। ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ପଦକ୍ଷେପ ନିଆଯିବ। କରୋନା ସଂକ୍ରମଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଧାନ ବିଚାରପତି ଚେତାଇ ଦେଇଥିଲେ କରୋନା ସଂକ୍ରମଣ ଯେଭଳି ନ ବ୍ୟାପିବ ତାହା ରାଜ୍ୟ ସରକାରଙ୍କ ଦାୟିତ୍ବ। ଏହି ମାମଲାରେ ନିୟୋଜିତ ବରିଷ୍ଠ ଆଇନଜୀବୀ ହରିଶ୍ ସାଲ୍‌ଭେ ସମ୍ମତି ପ୍ରଦାନ କରିଥିଲେ। ପ୍ରସ୍ତାବରେ ଏକମତ ମଧ୍ୟ ହୋଇଥିଲେ। ସୀମିତ ପୁଲିସ ଓ ପ୍ରଶାସନ ଦ୍ବାରା ରଥଯାତ୍ରା କରିବାକୁ ନେଇ ହରିଶ୍‌ ସାଲ୍‌ଭେ ଏକମତ ହୋଇଥିଲେ।

ସଂକ୍ରମଣ ବଢ଼ିଲେ ରାଜ୍ୟ ସରକାରଙ୍କ ମୁଣ୍ଡ ତଳକୁ ହେବ
ରାଜ୍ୟ ସରକାର ଏ ନେଇ ତ୍ବରିତ କାର୍ଯ୍ୟ କରିବା ପାଇଁ ପ୍ରଧାନ ବିଚାରପତି କହିଥିଲେ। ଜବାବରେ ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲ୍‌ଭେ କହିଥିଲେ ଯେ ଏଥିପାଇଁ ରାଜ୍ୟ ସରକାର ଯତ୍ନବାନ ହେବେ। ତେବେ ସେ ଏହି ଅବସରରେ ସୂଚାଇଥିଲେ ଯେ ସଂକ୍ରମଣ ବଢ଼ିଲେ ରାଜ୍ୟ ସରକାରଙ୍କ ମୁଣ୍ଡ ତଳକୁ ହେବ।

ପରସ୍ପର ସହଯୋଗ ପାଇଁ ନିଷ୍ପତ୍ତି ହେଲା
ଆଜିର ଶୁଣାଣିରେ ବରିଷ୍ଠ ଆଇନଜୀବୀ କେଭି ବିଶ୍ବନାଥନ୍‌, ପିଏସ୍‌ ନରସିଂହମ ମନ୍ଦିର ପରିଚାଳନା କମିଟିର ସମନ୍ବୟ ପ୍ରତିଷ୍ଠା ପାଇଁ ଗୁରୁତ୍ବାରୋପ କରିଥିଲେ। ସମନ୍ବୟରେ ସହଯୋଗ କରାଯିବ ବୋଲି ସଲିସିଟର ଜେନେରାଲ କହିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ହରିଶ ସାଲ୍‌ଭେ କେନ୍ଦ୍ର ସରକାର ଓ ମନ୍ଦିର ପରିଚାଳନା କମିଟି ସହିତ ସହଯୋଗ କରାଯିବ ବୋଲି କହିଥିଲେ। ଏହାକୁ ରେକର୍ଡରେ ନିଆଯାଉ ବୋଲି ସେ ପ୍ରଧାନ ବିଚାରପତିଙ୍କୁ କହିଥିଲେ। ରଥଯାତ୍ରା ପାଇଁ କେନ୍ଦ୍ରର ସହଯୋଗ ନେବୁ ବୋଲି ସେ କହିଥିଲେ।

ମୁଖ୍ୟ ବିଚାରପତିଙ୍କ ‘ସୁନ୍ଦର ଘର’
ଏହି ଶୁଣାଣିରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୋଡ଼ି ହୋଇଥିଲେ। ରଥଯାତ୍ରା ସଂପର୍କରେ ସେ କିଛି ମତ ରଖିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ପ୍ରଧାନ ବିଚାରପତି କହିଥିଲେ, ମାମଲାର ଶୁଣାଣି ଅପରାହ୍ନ ସାଢେ ଦୁଇଟାରେ ହେବ।

ପ୍ରଧାନ ବିଚାରପତି ପ୍ରଥମ ଥର ନାଗପୁରରୁ ଯୋଡ଼ି ହୋଇଥିବାରୁ ଶ୍ରୀ ମେହେଟ୍ଟା ତାଙ୍କ ଘରକୁ ଅତି ସୁନ୍ଦର ଘର ବୋଲି ମନ୍ତବ୍ୟ ଦେଇଥିଲେ। ଭିଡ଼ିଓ କନଫରେନ୍ସିଂ ପାଇଁ ଧନ୍ୟବାଦ, ଆପଣଙ୍କ ସୁନ୍ଦରଘର ଦେଖିବାକୁ ମିଳିଲା ବୋଲି ଶ୍ରୀ ମେହେଟ୍ଟା କହିଥିଲେ। ପ୍ରତିଜବାବରେ ପ୍ରଧାନ ବିଚାରପତି ଏହି ଘର ବହୁ ପୁରୁଣା ବୋଲି କହିଥିଲେ। ଘରର ପୁରାତନତା ହିଁ ଏହାର ସୌନ୍ଦର୍ଯ୍ୟ ବଢାଉଛି ବୋଲି ତୁଷାର ମେହେଟ୍ଟା କହିଥିଲେ।

patrika.com

ଶଙ୍କରାଚାର୍ଯ୍ୟ କାହିଁକି ସାମ୍ନାକୁ ଆସିଛନ୍ତି?
ଶୁଣାଣିବେଳେ ଖଣ୍ଡପୀଠ ପ୍ରଶ୍ନ କରିଥିଲେ, ଏହି ମାମଲାରେ ଶଙ୍କରାଚାର୍ଯ୍ୟ କାହିଁକି ସାମ୍ନାକୁ ଆସିଛନ୍ତି। ପ୍ରଧାନ ବିଚାରପତି କହିଥିଲେ ଆମର ଜୁନ୍‌ ୧୮ ତାରିଖ ଆଦେଶକୁ ଶଙ୍କରାଚାର୍ଯ୍ୟ ସମର୍ଥନ କରିଥିଲେ ଏବଂ ବର୍ତ୍ତମାନ ସେ ବିରୋଧ କରୁଛନ୍ତି। ଜବାବରେ ତୁଷାର ମେହେଟ୍ଟା କହିଥିଲେ, କ’ଣ ରୀତିନୀତି କରାଯିବ, କ’ଣ କରାଯିବ ନାହିଁ ସେ ସବୁ ପରମ୍ପରାର ବିଚାର କରିଥାନ୍ତି। ପ୍ରଧାନ ବିଚାରପତି କହିଥିଲେ, ଶଙ୍କରାଚାର୍ଯ୍ୟଙ୍କୁ ସାମ୍ନାକୁ ଅଣାଯିବା କଥା ନୁହେଁ। ରଥଯାତ୍ରା ରାଜ୍ୟ ସରକାରଙ୍କ ତତ୍ତ୍ବାବଧାନରେ ମନ୍ଦିର ପ୍ରଶାସନ ଦ୍ବାରା ହୋଇଥାଏ। ଏକଥା ବି ଖଣ୍ଡପୀଠ ସ୍ପଷ୍ଟ କରିଦେଇଥିଲେ ସେମାନେ କେବଳ ପୁରୀରେ ରଥଯାତ୍ରା ଆୟୋଜନ ସମ୍ପର୍କିତ ଆବେଦନଗୁଡ଼ିକର ବିଚାର କରୁଛନ୍ତି। ସମଗ୍ର ଓଡ଼ିଶାରେ ରଥଯାତ୍ରା ଆୟୋଜନ ପାଇଁ ନୁହେଁ।

ସମ୍ବନ୍ଧିତ ଖବର