ପୁରୀ: ହବିଷ୍ୟାଳିଙ୍କ ଭକ୍ତି ହେଉଛି ଓଡ଼ିଶାର ନୈତିକ ଶକ୍ତି। ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ଏହା ହେଉଛି ଜୀବନ୍ତ ପ୍ରତୀକ। ଏଥର ହବିଷ୍ୟାଳି ମା’ମାନଙ୍କ ପାଇଁ ୩.୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଯାହା ଗତ ବର୍ଷଠାରୁ ୭୦ ଲକ୍ଷ ଟଙ୍କା ଅଧିକ। ଆସନ୍ତାବର୍ଷରୁ ହବିଷ୍ୟାଳିଙ୍କ ଡିଜିଟାଲ୍‌ ପଞ୍ଜୀକରଣ ବ୍ୟବସ୍ଥା ହେବ। ଏହି ପଞ୍ଜୀକରଣରେ ଚିକିତ୍ସା ସହ ଜରୁରୀ ସେବା ମଧ୍ୟ ଉପଲବ୍ଧ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

Advertisment

ଆଜି ନରେନ୍ଦ୍ର କୋଣସ୍ଥିତ ବୃନ୍ଦାବତୀ ନିବାସଠାରେ ହବିଷ୍ୟାଳିଙ୍କୁ ସମ୍ବୋଧିତ କରିବା ଅବସରରେ ସେ କହିଥିଲେ, କାର୍ତ୍ତିକ ମାସ ହେଉଛି ଆତ୍ମସଂଯମ, କରୁଣା ଓ ଭକ୍ତିର ମାସ। ଓଡ଼ିଆ ସଂସ୍କୃତିରେ ଏହି ମାସ ବିଶେଷ ଗୁରୁତ୍ୱ ରଖେ। ଓଡ଼ିଆ ମା’ମାନେ ବର୍ଷବର୍ଷ ଧରି ହବିଷ ପାଳନ କରି ଆସୁଛନ୍ତି। ଏହା ଓଡ଼ିଶାର ନୈତିକ ଶକ୍ତିକୁ ପ୍ରତିନିଧିତ୍ୱ କରୁଛି। ହବିଷ୍ୟାଳି ମା’ମାନଙ୍କ ଭକ୍ତି ଓ ପ୍ରାର୍ଥନା ଓଡ଼ିଶାକୁ ଆଶୀର୍ବାଦ କରିବ ଏବଂ ସମାଜକୁ ଶାନ୍ତି ପଥରେ ଆଗେଇ ନେବ ବୋଲି ସେ କାମନା କରିଥିଲେ। ସେ କହିଥିଲେ ପୁରୀ କେବଳ ଏକ ଧର୍ମୀୟ ସ୍ଥାନ ନୁହେଁ, ଏହା ଓଡ଼ିଆ ଭକ୍ତି ଓ ଆସ୍ଥାର ପ୍ରତୀକ। ସରକାର ପୁରୀକୁ ବିଶ୍ୱସ୍ତରୀୟ ଧାର୍ମିକ ସହର ଭାବେ ଉନ୍ନତ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ସହରକୁ ମହାନଗର ନିଗମ ଘୋଷଣା ଏହି ପ୍ରତିଶ୍ରୁତିର ପ୍ରଥମ ପଦକ୍ଷେପ। ଚଳିତ ବର୍ଷ ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳିଙ୍କ ପାଇଁ ୫ଟି ସ୍ଥାନରେ ରହିବା ଓ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାକୁ ନିରନ୍ତର ସୁଦୃଢ଼ କରାଯାଉଛି। ସମସ୍ତ ସ୍ଥାନରେ ସ୍ୱେଚ୍ଛାସେବୀ, ପୁଲିସ, ଡାକ୍ତର ଓ ସହାୟତାର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ। ଶେଷରେ ସେମାନଙ୍କ ସହ ଫଟୋ ଉଠାଇ ସୁବିଧା ଅସୁବିଧା ବୁଝିଥିଲେ। 

କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡା. ସମ୍ବିତ ପାତ୍ର, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପୁରୀ ସଦର ବିଧାୟକ ସୁନୀଲ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର,  ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ। ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।