କୃଷି ଆଇନ କାର୍ଯ୍ୟକାରିତା ସ୍ଥଗିତ ରଖ ନଚେତ୍‌ ଆମେ ତାହାକୁ ସ୍ଥଗିତ କରାଇବୁ : ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ:  ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ କୃଷକମାନଙ୍କର ତୀବ୍ର ପ୍ରତିବାଦ ଚାଲିଥିବା ବେଳେ ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ତିନୋଟି ବିବାଦୀୟ କୃଷି ଆଇନ କାର୍ଯ୍ୟକାରୀ ପ୍ରକ୍ରିୟା ବନ୍ଦ ରଖାଯାଉ। ଯଦି କେନ୍ଦ୍ର ସରକାର ଏହାକୁ ସ୍ଥଗିତ ନ ରଖନ୍ତି ତେବେ ଆମେ ସ୍ଥଗିତ ରଖିବୁ ବୋଲି କଡ଼ା ମନ୍ତବ୍ୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହ କେନ୍ଦ୍ର ସରକାର ଯେଉଁଭଳି ଭାବରେ କୃଷକ ଆନ୍ଦୋଳନ ପ୍ରସଙ୍ଗକୁ ପରିଚାଳନା କରୁଛନ୍ତି ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।

କୃଷକ ଆନ୍ଦୋଳନ ସଂକ୍ରାନ୍ତରେ ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରିବା ସମୟରେ  ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି, ‘‘କୁହନ୍ତୁ, ଆପଣ ଏହି ଆଇନ ସବୁକୁ ସ୍ଥଗିତ ରଖିବେ ନା, ଆମେ ସ୍ଥଗିତ କରାଇବୁ? ଏ କ୍ଷେତ୍ରରେ କେଉଁ ଆତ୍ମସମ୍ମାନର କଥା ରହିଛି?’’ ଏଥିସହ ସିଙ୍ଘୁ ସୀମାରେ ଧାରଣାରେ ବସିଥବା କୃଷକମାନଙ୍କ କଥା ଉଠାଇ ପ୍ରଧାନ ବିଚାରପତି କହିଥିଲେ, ‘‘ସେଠାରେ ପରିସ୍ଥିତି କ୍ରମଶଃ ଖରାପ ହେବାରେ ଲାଗିଛି। ଲୋକମାନେ ଥଣ୍ଡାରେ ପଡ଼ିରହିଛନ୍ତି, ଆତ୍ମହତ୍ୟା କରୁଛନ୍ତି। କିଏ ସେମାନଙ୍କ ଖାଦ୍ୟ ପାନୀୟ କଥା ବୁଝୁଛି ? ସେଠାରେ ସାମାଜିକ ଦୂରତ୍ବ ବଜାୟ ରହିଛି ? କୃଷକମାନେ କାହିଁକି ବୃଦ୍ଧ, ମହିଳା ଓ ଶିଶୁଙ୍କୁ ଧାରଣାସ୍ଥଳକୁ ଆଣୁଛନ୍ତି ? ଯଦି କିଛି ଅଘଟଣ ଘଟେ ତେବେ ସମସ୍ତେ ଦାୟୀ ରହିବା।’’

Image Courtesy of India Today

କେନ୍ଦ୍ର ସରକାର ଯେଉଁ ଭଳି ଭାବେ ପ୍ରତିବାଦକାରୀ କୃଷକମାନଙ୍କ ସହ ଆଲୋଚନା କରୁଛନ୍ତି ସେଥିରେ ସୁପ୍ରିମ୍‌ କୋର୍ଟ ନୈରାଶ୍ୟ ପ୍ରକାଶ କରିଛନ୍ତି। ମହାମାରୀ ମଧ୍ୟରେ ମାସେରୁ ଅଧିକ ସମୟ ହେବ ପ୍ରତିବାଦ ଚଳାଇଥିବା କୃଷକମାନଙ୍କ ଅବସ୍ଥା ଜାଣିବାକୁ ଦାବି କରି ପ୍ରଧାନ ବିଚାରପତି ବୋବ୍‌ଡ଼େ କହିଛନ୍ତି, କି ବୁଝାମଣା ଚାଲିଛି ଆମେ ଜାଣୁନା? ବିଶେଷଜ୍ଞ କମିଟି ଗଠନ କରିବାକୁ ଆମେ ଚାହୁଁଛୁ। ଆମେ ଚାହୁଁ ସରକାର ତୁରନ୍ତ ଏହି ଆଇନକୁ ସ୍ଥଗିତ ରଖନ୍ତୁ। ଯଦି କେନ୍ଦ୍ର ସରକାର ଏହି କୃଷି ଆଇନର କାର୍ଯ୍ୟକାରିତା ସ୍ଥଗିତ ନ ରଖନ୍ତି ଆମେ ଏହା ଉପରେ ସ୍ଥଗିତାଦେଶ ଜାରି କରିବୁ। ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କିଛି ଅଘଟଣ ଘଟେ ସେଥିପାଇଁ ଆମ ଭିତରୁ ସମସ୍ତେ ଦାୟୀ ରହିବେ। କାହା ରକ୍ତ ଆମ ହାତରେ ଲାଗୁ, ଏକଥା ଆମେ ଚାହୁଁନା।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ଦେଶର କୃଷକ ସଂଗଠନଗୁଡ଼ିକର ଏକ ସଂଖ୍ୟାଗରିଷ୍ଠ ଅଂଶ ନୂତନ କୃଷି ଆଇନକୂ ସମର୍ଥନ କରୁଛନ୍ତି ଏବଂ ଏହି ଆଇନ ଚାଷୀଙ୍କ ଲାଗି ଆଦୌ କ୍ଷତିକାରକ ନୁହେଁ ବୋଲି ମତ ରଖିଛନ୍ତି।  ମାତ୍ର ଏହାକୁ ଗ୍ରହଣ ନ କରି ମୁଖ୍ୟବିଚାରପତି ବୋବଡେ କହିଥିଲେ, କେହି ତ ଆମ ନିକଟକୁ ଆସି ଏପରି କଥା କହିନାହାନ୍ତି। ଯଦି ସେମାନେ କୃଷି ଆଇନକୁ ସମର୍ଥନ କରୁଛନ୍ତି ତେବେ ଏଥିଲାଗି ଗଠନ ହେବାକୁଥିବା କମିଟି ନିକଟକୁ ଆସି ସେମାନେ ନିଜ ପକ୍ଷ ରଖନ୍ତୁ।

ଏହାଛଡ଼ା ସୁପ୍ରିମ୍‌ କୋର୍ଟ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ, ଏହି ଆଇନ ପ୍ରଣୟନ ସ୍ଥଗିତ କରାଯିବା ପରେ ମଧ୍ୟ ପ୍ରତିବାଦ ଚାଲିପାରେ। କିନ୍ତୁ, ପ୍ରତିବାଦ ସେହି ସ୍ଥାନରେ ଚାଲିବ ନା, ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି, ତାହା ସ୍ଥିର କରନ୍ତୁ।

ସମ୍ବନ୍ଧିତ ଖବର