ନୂଆଦିଲ୍ଲୀ: ତୁମ ପାଖକୁ ନିଅ ବୋଲି କାନ୍ନାଡାରେ ରହୁଥିବା ସ୍ତ୍ରୀକୁ କହିଲା ସ୍ବାମୀ। ପହଞ୍ଚିବା ପରେ କଲା ହତ୍ୟା। ପଞ୍ଜାବର ଲୁଧିଆନାରେ ରହୁଥିବା ଅଭିଯୁକ୍ତ ଜଗପ୍ରୀତ୍ ସିଂହ ଏଭଳି କରିଥିବା ଜଣାପଡ଼ିଛି। ସ୍ତ୍ରୀ କାନ୍ନାଡାରେ ରହୁଥିବାରୁ ଅନେକ ସମୟରେ ଜଗପ୍ରୀତ୍ ପତ୍ନୀଙ୍କ ସହ ଫୋନରେ ଝଗଡ଼ା କରୁଥିଲେ। ହତ୍ୟାର କିଛି ଦିନ ପୂର୍ବରୁ କାନ୍ନାଡା ଯିବାକୁ ଜିଦ୍ କରିଥିଲେ ଅଭିଯୁକ୍ତ। ପତ୍ନୀ ଟିକେଟ କରି କାନ୍ନାଡା ଆଣିବା ପରେ ଜଗପ୍ରୀତ୍ ତାଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। ମୃତକଙ୍କ ନାମ ବଲବିନ୍ଦର କୌର ବୋଲି ଜଣାଯାଇଛି।
ସୂଚନା ମୁତାବକ, ୨୦୦୦ମସିହାରେ ବିବାହ କରିଥିଲେ ଜଗପ୍ରୀତ୍ ଓ ବଲବିନ୍ଦର। ବିବାହ ପରେ ଦୁହିଁଙ୍କର ଗୋଟାଏ ଝିଅ ଓ ଗୋଟାଏ ପୁଅ ହୋଇଥିଲା। ଝିଅ ପଢ଼ିବା ପାଇଁ ୪ବର୍ଷ ତଳେ କାନ୍ନାଡା ଯିବା ପରେ ଦେଖାଶୁଣା ପାଇଁ ଯାଇଥିଲେ ବଲବିନ୍ଦର। ଜଗପ୍ରୀତ୍ ଚାକିରି କରୁନଥିବାରୁ ବଲବିନ୍ଦର ଏକାକୀ ପୂରା ଖର୍ଚ୍ଚ ଉଠାଉଥିଲେ।
ବଲବିନ୍ଦରଙ୍କ ଭଉଣୀ କହିଛନ୍ତି ଯେ, ଜଗପ୍ରୀତ୍ ଓ ବଲବିନ୍ଦରଙ୍କର ବିବାହ ପରଠାରୁ ଝଗଡ଼ା ଲାଗି ରହିଥିଲା। କାରଣ ଜଗପ୍ରୀତ୍ କୌଣସି ଚାକିରି କରୁନଥିଲେ। ବଲବିନ୍ଦର କାନ୍ନାଡାରେ ରହି ଚାକିରି କରୁଥିବା ବେଳେ ମୋତେ ସେଠାକୁ ନିଅ ବୋଲି ବାରମ୍ବାର କହୁଥିଲେ ଜଗପ୍ରୀତ୍। କିଛି ଦିନ ହେବ ତାଙ୍କର ଜିଦ୍ ବଢ଼ିଥିବା ବେଳେ ଏନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ବାଧ୍ୟ ହୋଇ ବଲବିନ୍ଦର, ଜଗପ୍ରୀତଙ୍କ ଟିକେଟ କରିବା ସହ ତାଙ୍କୁ କାନ୍ନାଡା ନେଇଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ସେ ମୋ ଭଉଣୀକୁ ନିର୍ମମ ଭାବେ ହତ୍ୟା କରିଥିଲା। ହତ୍ୟା ପରେ ସେ ମୋ ମା’ଙ୍କୁ ଫୋନ କରି କହିଥିଲା ଯେ, ତାକୁ ସବୁଦିନ ପାଇଁ ଶୁଆଇ ଦେଇଛି।