ଇରାନ ରାଷ୍ଟ୍ରପତିଙ୍କୁ ଫୋନ କଲେ ପୁଟିନ୍, ମଧ୍ୟପ୍ରାଚ୍ୟ ପରିସ୍ଥିତି ସଂପର୍କରେ ଆଲୋଚନା

ମସ୍କୋ : ନିକଟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଦେଖାଦେବା ପରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଙ୍ଗଳବାର ତାଙ୍କ ଇରାନ ପ୍ରତିପକ୍ଷ ଇବ୍ରାହିମ ରାଇସିଙ୍କ ସହ ଫୋନକଲରେ କଥା ହୋଇଛନ୍ତି ବୋଲି ରାଷ୍ଟ୍ରପତିଙ୍କ ଅଫିସ୍ କ୍ରେମଲିନ ପକ୍ଷରୁ କୁହାଯାଇଛି ।

କ୍ରେମଲିନ କହିଛି, ଏହି ଟେଲିଫୋନ୍ ବାର୍ତ୍ତାଳାପ ବେଳେ ଇରାନ୍ ରାଷ୍ଟ୍ରପତି କହିଛନ୍ତି ଯେ ଇସ୍ରାଏଲ ବିରୋଧରେ ଇରାନର କାର୍ଯ୍ୟାନୁଷ୍ଠାନ ଜବରଦସ୍ତ ଏବଂ ସୀମିତ ଥିଲା ଏବଂ ତାଙ୍କ ଦେଶ ଆଉ ଏହି ମାମଲାକୁ ଆଗକୁ ବଢାଇବାକୁ  ଆଗ୍ରହୀ ନାହିଁ।

ସିରିଆର ଦମସ୍କସଠାରେ ଥିବା ଇରାନ୍ ଦୂତାବାସ ଉପରେ ଇସ୍ରାଏଲର ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଏହି କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ କରାଯାଇଥିଲା । ତେହେରାନର ଏହି ପ୍ରତିଶୋଧମୂଳକ ପଦକ୍ଷେପ ପରେ ପୁଟିନ୍ ଓ ରାଇସି ମଧ୍ୟପ୍ରାଚ୍ୟର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। କୁହାଯାଉଛି ଯେ ଇରାନ ପକ୍ଷର ଉଦ୍ୟମରେ ଦୁଇ ଶୀର୍ଷ ନେତାଙ୍କ ଟେଲିଫୋନ୍ କଥାବାର୍ତ୍ତା ହୋଇଥିଲା।

ସୂଚନାଯୋଗ୍ୟ ଯେ, ରୁଷ ହେଉଛି ଇରାନର ଏକ ମିତ୍ର ରାଷ୍ଟ୍ର । ରୁଷର ୟୁକ୍ରେନ ବିରୋଧୀ ଯୁଦ୍ଧରେ ବି ଇରାନ ପକ୍ଷରୁ କେତେକ ଡ୍ରୋନ ଓ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯାଇଥିଲା । ଅନ୍ୟପକ୍ଷରେ ରୁଷ ମଧ୍ୟ ଇରାନକୁ ତାହାର ପରମାଣୁ କାର୍ଯ୍ୟକ୍ରମରେ ସହାୟତା କରୁଥିବା କୁହାଯାଉଛି ।

 

ସମ୍ବନ୍ଧିତ ଖବର