ମାରିୟୁପୋଲ ଷ୍ଟିଲ ପ୍ଲାଣ୍ଟ ଉପରେ ଆକ୍ରମଣ ଯୋଜନାକୁ ବାତିଲ କଲା ରୁଷ୍

କିବ୍ : ୟୁକ୍ରେନ ସହର ମାରିୟୁପୋଲର ଏକ ଷ୍ଟିଲ ପ୍ଲାଣ୍ଟ ଆଜୋବଷ୍ଟାଲ ଉପରେ ଚଢଉ ଯୋଜନାକୁ ସ୍ଥଗିତ ରଖିଛି ରୁଷ୍ । ଏହି ପ୍ଲାଣ୍ଟ ପରିସରରେ ଲୁଚିଥିବା ୟୁକ୍ରେନୀୟ ସୈନ୍ୟଙ୍କୁ ଆତ୍ମସମର୍ପଣ କରିବାକୁ ରୁଷ ପୂର୍ବରୁ ଆହ୍ବାନ ଦେଇଥିଲେ ବି ସେମାନେ ଆତ୍ମସମର୍ପଣ କରିନଥିଲେ । ଏହା ପରେ ଆଶଙ୍କା କରାଯାଉଥିଲା ଯେ ରୁଷ ଏହି ପ୍ଲାଣ୍ଟ ଉପରେ ଆକ୍ରମଣ କରିବ । କିନ୍ତୁ ରୁଷ ଏହି ପ୍ଲାଣ୍ଟ ଉପରେ ଆକ୍ରମଣ କରିବା  ବଦଳରେ ଏହାର ଘେରାଉ କରିବାକୁ ନିଷ୍ପତ୍ତି ନେଇଛି ।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଜଣେ ପରାମର୍ଶଦାତା କହିଛନ୍ତି ଯେ ରୁଷ ଏହି ପ୍ଲାଣ୍ଟକୁ ବଳପୂର୍ବକ ଅଧିକାର କରିପାରିବ ନାହିଁ, ଏହି କାରଣରୁ ଚଢଉ ଯୋଜନାକୁ ସ୍ଥଗିତ ରଖିବାକୁ ବାଧ୍ୟହେଲା ।

ରୁଷ ଗଣମାଧ୍ୟମର ଦାବି ଅନୁସାରେ ଉକ୍ତ ଷ୍ଟିଲ ପ୍ଲାଣ୍ଟ ପରିସରରେ ପ୍ରାୟ ୨୫୦୦ ୟୁକ୍ରେନୀୟ ସୈନ୍ୟ ଓ ୪୦୦ ବିଦେଶୀ ସୈନ୍ୟ ଲୁଚି ରହିଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ, ସେହି ଷ୍ଟିଲ ପ୍ଲାଣ୍ଟରେ ୧ ହଜାରରୁ ଅଧିକ ସାଧାରଣ ନାଗରିକ ରହିଛନ୍ତି ।

ଗତକାଲି ଜଣେ ୟୁକ୍ରେନୀୟ ସୈନ୍ୟ କମାଣ୍ଡର କେରହିଭ ବୋଲିନା କହିଥିଲେ ଯେ ସେମାନଙ୍କ ଜୀବନର ଅନ୍ତିମ କିଛି ଦିନ ବାକି ରହିଯାଇଛି । ରୁଷୀୟ ସୈନ୍ୟଙ୍କ ସଂଖ୍ୟା ସେମାନଙ୍କ ତୁଳନାରେ ୧୦ ଗୁଣ ରହିଛି । ଏଣୁ ସେ ସହାୟତା ପାଇଁ ବିଶ୍ବ ସମୁଦାୟକୁ ନିବେଦନ କରିଥିଲେ ।

ସମ୍ବନ୍ଧିତ ଖବର