ମସ୍କୋ: ଇରାନର ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ଯୁକ୍ତିଯୁକ୍ତ ନୁହେଁ। ଏହା ବିଶ୍ୱକୁ ବଡ଼ ବିପଦ ମୁହଁକୁ ଠେଲି ଦେଉଛି ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର କହିଛନ୍ତି। ପୁଟିନ କ୍ରେମଲିନରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାକଚିଙ୍କ ସହ ଆଲୋଚନା କରିବା ବେଳେ ତେହେରାନକୁ ନିଜର ସମର୍ଥନ ଜଣାଇଛନ୍ତି। ଏହି ବୈଠକରେ ପୁଟିନଙ୍କ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ, କ୍ରେମଲିନ ବୈଦେଶିକ ନୀତି ସହଯୋଗୀ ୟୁରି ଉଷାକୋଭ ଓ ରୁଷିଆର ଜିଆର୍ୟୁ ସାମରିକ ଗୁଇନ୍ଦା ଏଜେନ୍ସି ମୁଖ୍ୟ ଇଗୋର କୋସଟ୍ୟୁକୋଭ ମଧ୍ୟ ଉପସ୍ଥିତ ଥିଲେ। ଇରାନ ବିରୋଧରେ ଆକ୍ରମଣର କୌଣସି ଆଧାର ନାହିଁ କି ଯଥାର୍ଥତା ନାହିଁ ଏବଂ ଇରାନବାସୀଙ୍କୁ ସାହାଯ୍ୟ କରିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ ବୋଲି ପୁଟିନ ଆରାକଚିଙ୍କୁ କହିଛନ୍ତି।
ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅରାକଚି ପୁଟିନଙ୍କୁ ତାଙ୍କ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ଏକ ଚିଠି ଦେଇଥିଲେ, ଯେଉଁଥିରେ ଖେମିନି ରୁଷିଆଠାରୁ ଅଧିକ ସହାୟତା ଲୋଡ଼ିଥିଲେ। ତେବେ ମସ୍କୋ ତରଫରୁ ଏ ନେଇ କୌଣସି ସୂଚନା ମିଳିନାହିଁ। ଇରାନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇରାନ ଏପର୍ଯ୍ୟନ୍ତ ରୁଷ୍ଠାରୁ ଆଶାନୁରୂପ ସମର୍ଥନ ପାଇନାହିଁ ଏବଂ ଇସ୍ରାଏଲ ଓ ଆମେରିକା ବିରୋଧରେ ପୁଟିନ ଅଧିକ ପଦକ୍ଷେପ ନିଅନ୍ତୁ ବୋଲି ଇରାନ ଚାହୁଛି। ମାତ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମସ୍କୋ ସହ ସମ୍ପର୍କ ସୁଧାରିବାକୁ ଚାହୁଥିବା ବେଳେ ୟୁକ୍ରେନରେ ବଡ଼ଧରଣର ଯୁଦ୍ଧ ଲଢୁଥିବା ପୁଟିନ ଇରାନକୁ ନେଇ ଆମେରିକା ସହ ମୁହାଁମୁହିଁ ହେବାକୁ ଇଚ୍ଛା ପ୍ରକାଶ କରୁ ନ ଥିବା ଜଣାପଡ଼ିଛି।