ଡାକ୍ତରୀ ଚିକିତ୍ସା ନିମନ୍ତେ ଜର୍ମାନିରେ ପହଞ୍ଚିଲେ ସନ୍ଧିଗ୍ଧ ବିଷକ୍ରିୟା ଯୋଗୁଁ କୋମା ଅବସ୍ଥାରେ ଥିବା ପୁତିନ୍‌ଙ୍କ ସମାଲୋଚକ  ନାଭାଲ୍‌ନି

ନୂଆଦିଲ୍ଲୀ: ସନ୍ଦିଗ୍ଧ ବିଷକ୍ରିୟା ଯୋଗୁଁ ଗୁରୁବାର ଠାରୁ କୋମା ଅବସ୍ଥାରେ ଥିବା ରୁଷ୍‌ର ପ୍ରମୁଖ ଦୁର୍ନୀତି ବିରୋଧୀ ଅଭିଯାନକାରୀ ଆଲେକ୍ସି ନାଭାଲ୍‌ନି ଡାକ୍ତରୀ ଚିକିତ୍ସା ନିମନ୍ତେ ଜର୍ମାନିରେ ପହଞ୍ଚିଥିବା କଥା ତାଙ୍କର ମୁଖପାତ୍ରୀ କିରା ୟାର୍ମିସ୍‌ ଟୁଇଟ୍ କରିଛନ୍ତି।

ନାଭାଲ୍‌ନିଙ୍କ ପରିବାର, ସାମାଜିକକର୍ମୀ ଏବଂ ଆନ୍ତର୍ଜାତିକ ନେତାମାନେ ପ୍ରତ୍ୟକ୍ଷଭାବେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କୁ ନିବେଦନ କରିବା ଯୋଗୁଁ ଦୁଇ ଦିନ ପରେ ରୁଷୀୟ କର୍ତ୍ତୃପକ୍ଷ ତାଙ୍କୁ ବିଦେଶକୁ ନେବା ପାଇଁ ଅନୁମତି ଦେଇଥିଲେ। ବର୍ଲିନ୍‌ସ୍ଥିତ ଚେରାଇଟ୍‌ ‌ହସ୍‌ପିଟାଲ୍‌ରେ ନାଭାଲ୍‌ନିଙ୍କୁ ଚିକିତ୍ସା କରାଯିବ।

ସାଇବେରୀୟ ସହର ତୋମସ୍କସ୍ଥିତ ଏକ ବିମାନ ବନ୍ଦର କାଫେରେ ଗୁରୁବାର ସକାଳେ ଚା ପିଇବା ପରେ ୪୪ ବର୍ଷିୟ ଆଲେକ୍ସି ବିମାନ ମଧ୍ୟରେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କର ଅବସ୍ଥା ଏତେ ସଙ୍କଟାପନ୍ନ ହୋଇ ପଡ଼ିଲା ଯେ, ମସ୍କୋ ଅଭିମୁଖେ ଯାତ୍ରା କରୁଥିବା ବିମାନଟି ଓମ୍‌ସ୍କ୍‌ ସହରରେ ଜରୁରୀ ଅବତରଣ କରିଥିଲା। ସେଠାରୁ ତାଙ୍କୁ ଏକ ଷ୍ଟ୍ରେଚର୍ ଯୋଗେ ବୋହି ନିଆଯାଇ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ସେପ୍ଟେମ୍ବର ମାସରେ ହେବାକୁ ଥିବା ଆଞ୍ଚଳିକ ନିର୍ବାଚନରେ ସ୍ଥାନୀୟ ସାମାଜିକକର୍ମୀ ଏବଂ ବିରୋଧୀ ପ୍ରାର୍ଥୀମାନଙ୍କ ବୈଠକରେ ଯୋଗ ଦେବାକୁ ସେ ସେଠାକୁ ଯାଇଥିଲେ।

Image Courtesy of The Star

ତାଙ୍କ ମୁଖପାତ୍ରୀ କିରା ୟାର୍‌ମିସ୍‌ କହିଥିଲେ, ସାଙ୍ଘାତିକ ଅବସ୍ଥାରେ ସେ ‘ଆଇସିୟୁ’ରେ ଆର୍ଟିଫିସିଆଲ୍ ଲଙ୍ଗ୍‌ ଭେଣ୍ଟିଲେଟର୍‌ରେ ଥିଲେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଆମର ମନେହୁଏ, ଚା’ରେ କିଛି ମିଶାଯାଇ ତାଙ୍କୁ ଦିଆଯାଇଛି। ସକାଳେ ସେ କେବଳ ଚା ହିଁ ପିଇଥିଲେ। ଏବେ ଆଲେକ୍ସି ଅଚେତ ଅଛନ୍ତି।

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ ସମାଲୋଚକ ଆଲେକ୍ସି ନାଭାଲ୍‌ନିଙ୍କ ଏ ଭଳି ଅବସ୍ଥା ହେବା ବିଷୟରେ ଗତ ଦୁଇ ଦିନ ହେବ ପରସ୍ପର ବିରୋଧୀ ରିପୋର୍ଟ ମିଳୁଛି। ଓମସ୍କ୍‌ ଡାକ୍ତରଖାନାର ଡାକ୍ତରମାନେ ପ୍ରଥମେ କହିଲେ ଯେ, ସେମାନେ ସମ୍ଭାବ୍ୟ ବିଷକ୍ରିୟା ସମ୍ବନ୍ଧରେ ତଦନ୍ତ କରୁଛନ୍ତି। କିନ୍ତୁ ପରେ କହିଲେ ସେମାନେ ବିଷକ୍ରିୟାର ପ୍ରମାଣ ପାଇ ନାହାନ୍ତି। ଆଲେକ୍ସିଙ୍କ ଟିମ୍ କହିଛି ଯେ, ଜଣେ ଅଜ୍ଞାନ୍ତ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ତାଙ୍କ ଦେହରୁ ବିଷାକ୍ତ ପଦାର୍ଥ ମିଳିଛି। ସେ ଯାହାହେଉ, ଏ ସମ୍ବନ୍ଧରେ ସରକାରୀଭାବେ କୌଣସି ଭରସାଯୋଗ୍ୟ ରିପୋର୍ଟ ମିଳିନାହିଁ। ଓମାସ୍କ ହସ୍ପିଟାଲ୍ ମୁଖ୍ୟ ଆଲେକ୍‌ଜେଣ୍ଡର୍‌ ମୁରାଖୋଭସ୍କି କହିଛନ୍ତି ଯେ, ନାଭାଲନି ‘ମେଟାବୋଲିକ୍ ଡିଜ୍ଅଡର୍‌’ରେ ଆକ୍ରାନ୍ତ ହୋଇଛନ୍ତି।

ଏ ଘଟଣା ସମ୍ପ୍ରତି ଆନ୍ତର୍ଜାତିକ ନେତାମାନଙ୍କର ଦୃଷ୍ଟି ଆକର୍ଷଣ କରିଛି।

 

 

 

 

 

ସମ୍ବନ୍ଧିତ ଖବର