ୱାସିଂଟନ୍: ୟୁକ୍ରେନ୍ ଯୁଦ୍ଧକୁ ୩୪ ଦିନ ପୂରିଛି। ଯୁଦ୍ଧ ବନ୍ଦ ପାଇଁ ଆଜି ତୁର୍କୀରେ ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି କଥାବାର୍ତ୍ତାରେ ମଧ୍ୟ ସକରାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଛି। ତେବେ ସାରା ବିଶ୍ବ ପାଖରେ ଗୋଟିଏ ଖବର ଏବେ ବି ଅପହଞ୍ଚ ଅଛି। ରୁଷ୍ ସେନାର ବର୍ବରତା ନେଇ ପଶ୍ଚିମ ଗଣମାଧ୍ୟମର ପ୍ରଚାର ଭିତରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଲକ୍ଷ୍ୟ ହାସଲ କରିନେଲେଣି ବୋଲି କୁହାଯାଉଛି। ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିଭିର ଜେଲେନସ୍କିଙ୍କ ଆବେଗପୂର୍ଣ୍ଣ ଭାଷଣ ଓ ଆତ୍ମବିଶ୍ବାସ ସୃଷ୍ଟିକାରୀ ବୟାନ କେବଳ ତାଙ୍କର ଭାବମୂର୍ତ୍ତି ରକ୍ଷା ପାଇଁ ଉଦ୍ଧିଷ୍ଟ ଥିବା ବେଳେ ଅସଲରେ ୟୁକ୍ରେନ୍ ସେନା ତଳିତଳାନ୍ତ ସ୍ଥିତିକୁ ଆସିଯାଇଛି ବୋଲି ୟୁରୋପ-ଆମେରିକା ପ୍ରତିରକ୍ଷା ବ୍ୟାପାର ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହା ସହିତ ଆମେରିକାର ୨ ଜଣ ପ୍ରମୁଖ ସୁରକ୍ଷା ବିଶେଷଜ୍ଞ ମଧ୍ୟ ଏହାକୁ ସ୍ବୀକାର କରି ତଥ୍ୟ ରଖିଛନ୍ତି ।
ସେମାନଙ୍କ ଦ୍ବାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ ରୁଷ୍ ସେନା ବିରୋଧରେ ଯୁଦ୍ଧ ଲଢ଼ି ପ୍ରାୟ ୨୦୦ ବ୍ରିଟେନ୍ ଏବଂ ଆମେରିକୀୟ ସୈନିକ ନିହତ ହୋଇଛନ୍ତି। ଆମେରିକା ଏବଂ ନାଟୋ ରୁଷ୍କୁ ନେଇ ଯେଉଁସବୁ ଆକଳନ ପ୍ରକାଶ କରୁଛନ୍ତି ତାହାକୁ ଏହି ୨ ସୁରକ୍ଷା ବିଶେଷଜ୍ଞ ପ୍ରତ୍ୟାଖ୍ୟାନ କରିଛନ୍ତି। ପୁଟିନ୍ କାହାର ଚାପ, ସମାଲୋଚନା ଏବଂ ପ୍ରଚାରକୁ ଖାତିର ନକରି ତାଙ୍କ ଲକ୍ଷ୍ୟ ହାସଲ କରିଚାଲିଛନ୍ତି। ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏର ଜଣେ ବରିଷ୍ଠ ଅଧିକାରୀ ଲାରି ସି ଜନସନ୍ କହିଛନ୍ତି, ୟୁକ୍ରେନ୍ ସେନା ଯୁଦ୍ଧ ହାରି ସାରିଛି ଏବଂ ପୁଟିନ ଯାହା ଚାହୁଥିଲେ ତାହା କରିଛନ୍ତି।। ଜନସନ୍ କହିଛନ୍ତି, ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କ ଦ୍ବାରା ଲଗାଯାଇଥିବା କଟକଣାର କିଭଳି ମୁକାବିଲା କରାଯିବ ସେ ନେଇ ଦୀର୍ଘଦିନ ତଳୁ ପୁଟିନ ପ୍ରସ୍ତୁତ ଚଳାଇଥିଲେ ଏବଂ ଏହାର ଟେର୍ କେହି ପାଇନଥିଲେ। ରୁଷ୍ ବିରୋଧରେ କଟକଣା ପ୍ରଭାବହୀନ ହେବାକୁ ଯାଉଛି ବୋଲି ସିଆଇଏ ଅଧିକାରୀ କହିଛନ୍ତି। ରୁଷ୍ ଆମଦାନି ଉପରେ ନିର୍ଭରଶୀଳ ନୁହେଁ। କିନ୍ତୁ ଏହାର ରପ୍ତାନୀ ବନ୍ଦ ପଶ୍ଚିମ ରାଷ୍ଟ୍ରର ଆର୍ଥିକ ସ୍ଥିତି ଉପରେ ଅତି ଗୁରୁ୍ତ୍ବପୂର୍ଣ୍ଣ ପ୍ରଭାବ ପକାଇବ। ଯଦି ରୁଷ୍ ପଶ୍ଚିମ ରାଷ୍ଟ୍ରକୁ ଗହମ, ପଟାସ, ଗ୍ୟାସ୍, ତୈଳ ଏବଂ ଅନ୍ୟ ମିନେରାଲ୍ସ ଯୋଗାଣ ବନ୍ଦ କରିଦେବ ତେବେ ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକାର ଅର୍ଥନୀତି ପ୍ରଭାବିତ ହେବ। ୟୁରୋପୀୟ ରାଷ୍ଟ୍ରମାନେ ରୁଷ୍ ବିରୋଧରେ ଯେଉଁ ବୟାନବାଜି କରୁଛନ୍ତି ତାହା ଉପରଠାଉରିଆ ବୋଲି ପୁଟିନ୍ ଭଲଭାବେ ଜାଣି ସେହି ଅନୁସାରେ ତାଙ୍କ ପଦକ୍ଷେପ ସ୍ଥିର କରୁଛନ୍ତି ବୋଲି ୟୁରୋପୀୟ କୂଟନୀତି ବିଶେଷଜ୍ଞମାନେ ମଧ୍ୟ କହିଛନ୍ତି।
ଜନସନ୍ଙ୍କ ସହିତ କର୍ନେଲ୍ ଡୋଗଲାସ୍ ମାକ୍ଗ୍ରେଗର୍ ମଧ୍ୟ ପୁଟିନ୍ ତାଙ୍କ ଲକ୍ଷ୍ୟ ହାସଲ କରିସାରିଲେଣି ବୋଲି କହିଛନ୍ତି। କର୍ନେଲ୍ ଡୋଗଲାସ୍ କହିଛନ୍ତି, ୟୁକ୍ରେନୀୟଙ୍କ ପାଇଁ ଯୁଦ୍ଧ ଶେଷ ହୋଇସାରିଛି। ରୁଷ୍ ଫେବ୍ରୁଆରି ୨୪ରେ ୟୁକ୍ରେନ୍ରେ ସାମରିକ ଅପରେସନ୍ ଆରମ୍ଭ କରିବାର ୨୪ ଘଣ୍ଟା ମଧ୍ୟରେ ସମସ୍ତ ‘ୟୁକ୍ରେନୀୟ ଗ୍ରାଉଣ୍ଡ୍ ରାଡାର ଇଣ୍ଟରସେପ୍ଟ କାପାବିଲିଟିଜ୍କୁ’ ନଷ୍ଟ କରିଦେଇଥିଲା। ଜନସନ୍ କହିଛନ୍ତି, ରୁଷ୍ର ସୁରକ୍ଷା ନେଇ ପୁଟିନ ଯେଉଁସବୁ ଯୁକ୍ତି ଓ ଦାବି ଉପସ୍ଥାପନ କରିଛନ୍ତି ତାହା ଯୁକ୍ତିଯୁକ୍ତ। ଗତ ୭ ବର୍ଷ ମଧ୍ୟରେ ନାଟୋ ଯେଉଁ ପ୍ରକାରର ସାମରିକ ଉତ୍ତେଜନା ସୃଷ୍ଟି କରିଛି, ସେ ବାବଦରେ ୯୦ ପ୍ରତିଶତ ଆମେରିକୀୟ ଜାଣିନାହାନ୍ତି। ଜନସନ୍ କହିଛନ୍ତି, ଆମେରିକା/ନାଟୋ ଅପରେସନ୍ ଦ୍ବାରା କେତେ ନାଗରିକଙ୍କ ମୃତ୍ୟୁ ହୋଇଛି ତାହା ବିଶ୍ବ ଜାଣିନି। ରୁଷ୍ର ଦାବିକୁ ପଶ୍ଚିମ ରାଷ୍ଟ୍ରମାନେ ପ୍ରତ୍ୟାଖ୍ୟାନ କରୁଥିଲେ ମଧ୍ୟ ପୁଟିନ୍ ନିଜ ରାଷ୍ଟ୍ରର ସୁରକ୍ଷା ପାଇଁ ଯାହା କରିବା କଥା କରିଛନ୍ତି ବୋଲି ଆମେରିକୀୟ ସୁରକ୍ଷା ବିଶେଷଜ୍ଞଙ୍କ ବୟାନ ଏବେ ଆଲୋଡ଼ନ ସୃଷ୍ଟି କରିଛି।