ୟୁକ୍ରେନ୍‌ର ମାରିଉପୋଲରେ ପୁଟିନ, ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ଭେଟିଲେ

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍‌ର ମାରିଉପୋଲ ସହରକୁ ଗସ୍ତ କରିଛନ୍ତି। ଏହି ସହର ଗତବର୍ଷଠାରୁ ରୁଷ୍‌ ସେନାର ନିୟନ୍ତ୍ରଣରେ ରହିଛି। କ୍ରିମିଆ ଗସ୍ତ ସାରି ସେ ୟୁକ୍ରେନର ଉକ୍ତ ସହରକୁ ଯାଇଥିଲେ। ଟାସ୍ ରିପୋର୍ଟ ଅନୁସାରେ ପୁଟିନ ଏକ ହେଲିକପ୍ଟର ସାହାଯ୍ୟରେ କ୍ରିମିଆରୁ ମାରିଉପୋଲରେ ପହଞ୍ଚିଥିଲେ। ତା’ପରେ କାର୍‌ରେ ମାରିଉପୋଲର ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ।

ସେ ନେଭସ୍କି ମାଇକ୍ରୋଡିଷ୍ଟ୍ରିକ୍ଟରେ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। ତା’ପରେ ସେ ମାରିଉପୋଲ କୋଷ୍ଟଲାଇନର ସମୀକ୍ଷା କରିଥିଲେ। ଏହାପରେ ପୁଟିନ ୟୁକ୍ରେନ୍‌ରେ ନିୟୋଜିତ ନିଜ ସେନାର ସେନାଧ୍ୟକ୍ଷ ଭାଲେରି ଗେରାସିମୋଭଙ୍କ ସହ କଥା ହୋଇଥିଲେ। କ୍ରିମିଆ ରୁଷ୍‌ରେ ମିଶିବାର ନବମ ବାର୍ଷିକ ପୂର୍ତ୍ତି ଅବସରରେ ପୁଟିନ ଶନିବାର ସେଠାକୁ ଗସ୍ତ କରିଥିଲେ। ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟ ଯୁଦ୍ଧ ଅପରାଧ ଅଭିଯୋଗରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବାର ଦିନକ ପରେ ପୁଟିନ କ୍ରିମିଆ ଓ ତା’ପରେ ମାରିଉପୋଲ ଗସ୍ତ କରିଥିଲେ। ପୁଟିନଙ୍କ ବିରୋଧରେ ଯୁଦ୍ଧ ଅପରାଧ ଅଭିଯୋଗକୁ ରୁଷ୍ ଖଣ୍ଡନ କରିଥିବା ବେଳେ ସେ ନିଜେ ଏହା ଉପରେ ଏ ପର୍ଯ୍ୟନ୍ତ କିଛି ମନ୍ତବ୍ୟ ଦେଇନାହାନ୍ତି।

ସମ୍ବନ୍ଧିତ ଖବର