ମସ୍କୋ : କ୍ରେମଲିନ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବହୁମାତ୍ରାରେ ବଢ଼ାଇ ଦିଆଯାଇଛି। ରାଜଧାନୀ ମସ୍କୋ ନିକଟ ନୋଭୋ-ଓଗାରିୟୋଭୋରେ ଏକ ବଙ୍କରକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। କ୍ରେମଲିନ ପ୍ରବକ୍ତା ଦିମିତ୍ରି ପେସକୋଭ ଏହି ସୂଚନା ଦେଇଛନ୍ତି। ବଙ୍କର ଏଭଳି ନିର୍ମାଣ ହୋଇଛି ଯାହା ପରମାଣୁ ବୋମା ଆକ୍ରମଣରୁ ମଧ୍ୟ ସୁରକ୍ଷିତ ରହିପାରିବ।

Advertisment

ପେସକୋଭଙ୍କ କହିବାନୁଯାୟୀ କ୍ରେମଲିନରେ ଡ୍ରୋନ ଆକ୍ରମଣ ସମୟରେ ପୁଟିନ ମସ୍କୋ ବାହାରେ ତାଙ୍କ ନୋଭୋ-ଓଗାରି‌ୟୋଭୋ ବାସଭବନ ବଙ୍କରରେ କାର୍ଯ୍ୟରତ ଥିଲେ। ସେ‌ହି ସମୟରେ ସେ କ୍ରେମଲିନରେ ନଥିଲେ ଏବଂ କ୍ରେମଲିନକୁ ସୁରକ୍ଷା ଯୋଗାଉଥିବା ବାହିନୀ ବିସ୍ଫୋରକ ଭର୍ତ୍ତି ଦୁଇଟି ଡ୍ରୋନକୁ ଠିକ୍ ସମୟରେ ଗୁଳିକରି ଖସାଇ ଦେବାକୁ ସକ୍ଷମ ହୋଇଥିଲେ। ପୁଟିନଙ୍କୁ ହତ୍ୟା କରିବା ପାଇଁ ୟୁକ୍ରେନ ଏହି ଡ୍ରୋନ ପଠାଇଥିଲା ବୋଲି ରୁଷ କେତେକ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରିଛି।

କ୍ରେମଲିନ ପ୍ରବକ୍ତା କହିଛନ୍ତି, ପରବର୍ତ୍ତୀ ରଣନୈତିକ ନିଷ୍ପତ୍ତି ପର୍ଯ୍ୟନ୍ତ ପୁଟିନ ନାଭୋ-ଓଗାରିୟୋଭୋ ସ୍ଥିତ ବଙ୍କରରୁ ହିଁ କାର୍ଯ୍ୟ ଜାରି ରଖିବେ।