ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଚଳିତ ବର୍ଷ ଶେଷ ଆଡ଼କୁ ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇପାରନ୍ତି; କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ସୋମବାର ସାମ୍ବାଦିକମାନଙ୍କୁ କହିଛନ୍ତି।
ଭାରତରେ ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀରେ ପୁଟିନଙ୍କ ଅଂଶଗ୍ରହଣକୁ ବିଚାର କରାଯାଉଛି କି ବୋଲି ପଚରାଯିବାରୁ କ୍ରେମଲିନ୍ ମୁଖପାତ୍ର କହିଛନ୍ତି, ଏହାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। କିନ୍ତୁ, ଏସଂପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ରୁଷିଆ ନ୍ୟୁଜ୍ ଏଜେନ୍ସି ଟାସ୍ ସ୍ପଷ୍ଟ କରିଛି।
ଆସନ୍ତା ସେପ୍ଟେମ୍ବର ମାସରେ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତରେ ହେବାକୁ ଥିବା ଶିଖର ସମ୍ମିଳନୀରେ ପୁଟିନଙ୍କ ଅଂଶଗ୍ରହଣକୁ ବିଚାର କରାଯାଉଛି କି ବୋଲି ପଚରାଯିବାରୁ କ୍ରେମଲିନ୍ ମୁଖପାତ୍ର କହିଛନ୍ତି ଜି-୨୦ରେ ରାଷ୍ଟ୍ରପତି ପୁଟିନଙ୍କ ଅଂଶଗ୍ରହଣକୁ ଏଡ଼ାଇ ଦିଆଯାଇ ନପାରେ; କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ପେସ୍କୋଭ ସ୍ପଷ୍ଟ କରିଛନ୍ତି।
ଜି-୨୦ ଫର୍ମାଟରେ ରୁଷ୍ ଏହାର ପୂର୍ଣ୍ଣ ଅଂଶଗ୍ରହଣ ଜାରି ରଖିଛି। ଆଗକୁ ମଧ୍ୟ ଆମେ ଏହାକୁ ଜାରି ରଖିବାକୁ ଚାହୁଁଛୁ ବୋଲି ପେସ୍କୋଭ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗ୍ରୁପ୍ ଅଫ୍ ସେଭେନ୍ (ଜି-୭) ଫର୍ମାଟ୍ ସମଗ୍ର ବିଶ୍ୱ ଅର୍ଥନୀତିକୁ ପ୍ରତିଫଳିତ କରେ ନାହିଁ, ଯେଉଁଥିପାଇଁ ମସ୍କୋ ଜି-୨୦ ଏବଂ ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚାଇନା, ଦକ୍ଷିଣ ଆଫ୍ରିକା) ଉପରେ ଗୁରୁତ୍ୱ ଦେଉଛି ବୋଲି ପେସ୍କୋଭ ସୋମବାର ସାମ୍ବାଦିକମାନଙ୍କୁ କହିଛନ୍ତି।
ବିଶ୍ୱ ଜିଡିପିରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ଅଂଶ ଜି-୭ ଦେଶଗୁଡ଼ିକଠାରୁ ଅଧିକ ବୋଲି ପାଶ୍ଚାତ୍ୟ ବିଶ୍ଳେଷକଙ୍କ ରିପୋର୍ଟ ଉପରେ ପ୍ରତିକ୍ରିୟା ପଚରାଯିବାରୁ ସେ କହିଛନ୍ତି, ଏହି ବିଶେଷଜ୍ଞମାନଙ୍କ ଅନୁସନ୍ଧାନ ଯାହା ହେଉ ନା କାହିଁକି, ବିଶ୍ୱ ଅର୍ଥନୀତିରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ଅର୍ଥନୈତିକ ଦବଦବା କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି କହିବା ନିରାପଦ।
ରୁଷିଆ ବିଶ୍ୱାସ କରେ ଯେ ଜି-୭ ଫର୍ମାଟ ପୃଥିବୀର ଅର୍ଥନୈତିକ ଚାହିଦା ଏବଂ ଆବଶ୍ୟକତାକୁ ପ୍ରତିଫଳିତ କରିବାରେ ବିଫଳ ହୋଇଛି। କାରଣ ବିଶ୍ୱ ଅର୍ଥନୀତି ଜି-୭ ରାଷ୍ଟ୍ରମଧ୍ୟରେ ସୀମିତ ନୁହେଁ ବୋଲି କହିଛନ୍ତି କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟାପକ ଗୋଷ୍ଠୀ ଜି-୨୦ ବାସ୍ତବ ସ୍ଥିତିକୁ ଅଧିକ ଘନିଷ୍ଠ ଭାବରେ ପ୍ରତିଫଳିତ କରୁଛି, ଯାହାକୁ ନେଇ ଆମେ ଚିନ୍ତିତ।