ନୂଆଦିଲ୍ଲୀ: ପୁଟିନଙ୍କୁ ଭେଟିଲେ ଡୋଭାଲ । ଟ୍ରମ୍ପଙ୍କ ଟାରିଫ ବୋମା ପରେ ପୁଟିନ-ଡୋଭାଲ ଭେଟଘାଟ । ଆମେରିକାର ଶୁଳ୍କ ଚାପକୁ ନେଇ ଆଲୋଚନା । କ୍ରେମଲିନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଭାରତ ରୁଷ ଠାରୁ ଲଗାତାର ତେଲ କିଣୁଥିବାରୁ ଆମେରିକା ଭାରତୀୟ ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ଲଗାଉଥିବା ବେଳେ ରୁଷ ସହ ସମ୍ପର୍କକୁ ମଜଭୁତ କରୁଛି ଭାରତ ।
ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଯାହାଫଳରେ ମୋଟ ଆମଦାନୀ ଶୁଳ୍କ ୫୦ ପ୍ରତିଶତରେ ପହଞ୍ଚିଛି । ଏହି ନୂଆ ଶୁଳ୍କ ବ୍ୟବସ୍ଥା ଦୁଇଟି ସୋପାନରେ ଲାଗୁ ହେବ । ପ୍ରଥମ ୨୫ ପ୍ରତିଶତ ବୃଦ୍ଧି ଅଗଷ୍ଟ ୭ରୁ ଲାଗୁ ହୋଇଥିବାବେଳେ, ଦ୍ୱିତୀୟଟି ୨୧ ଦିନ ପରେ ଲାଗୁ ହେବ । ୪ ବର୍ଷ ଧରି ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ ମସ୍କୋ ରାଜି ନହେବାରୁ, ରୁଷ ଠାରୁ ଅଶୋଧିତ ତେଲ କିଣୁଥିବା ଦେଶମାନଙ୍କ ଉପରେ ମଧ୍ୟ ଆମେରିକା କଟକଣା ଲଗାଇବାକୁ ଧମକ ଦେଇଛି ।
ସେପଟେ ଟ୍ରମ୍ପଙ୍କ ଏହି ଦୋମୁହାଁ ନୀତିକୁ ମଧ୍ୟ ସମାଲୋଚନା କରାଯାଉଛି । କାରଣ ଆମେରିକା ନିଜେ ରୁଷଠାରୁ ୟୁରାନିୟମ୍ ହେକ୍ସାଫ୍ଲୋରାଇଡ୍, ପାଲାଡିୟମ୍ ଏବଂ ସାର ଆମଦାନୀ ଜାରି ରଖିଛି । ତେବେ ମୋଦୀ ଆମେରିକାର ନାମ ନ ନେଇ କହିଛନ୍ତି- ଯେ ଭାରତ ବାହ୍ୟ ଚାପରେ ନଇଁବ ନାହିଁ, ଏଥିପାଇଁ ଯେତେ ମୂଲ୍ୟ ଦେବାକୁ ପଡ଼ିଲେ ମଧ୍ୟ ଭାରତ ପ୍ରସ୍ତୁତ ଅଛି । ଅନ୍ୟପଟେ, ଡୋଭାଲ ନିଶ୍ଚିତ କରିଛନ୍ତି ଯେ ରୁଷ ରାଷ୍ଟ୍ରପତି ପୁଟିନ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଗସ୍ତରେ ଆସିବେ ଏବଂ ଏହାର ତାରିଖ ଚୂଡ଼ାନ୍ତ କରାଯାଉଛି । ୨୦୨୨ରେ ରୁଷ-ୟୁକ୍ରେନ ସଂଘର୍ଷ ଆରମ୍ଭ ହେବା ପରଠୁ ଏହା ପୁଟିନଙ୍କ ପ୍ରଥମ ଭାରତ ଗସ୍ତ ହେବ । ପୁଟିନଙ୍କ ଗସ୍ତକୁ ନେଇ ନୂଆଦିଲ୍ଲୀ ଉତ୍ସାହିତ ଏବଂ ଆନନ୍ଦିତ ଅଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/08/08/doval-2025-08-08-09-28-59.jpg)