ୟୁକ୍ରେନ ୟୁରୋପୀୟ ସଂଘର ସଦସ୍ୟ ହେଲେ ଆମର କୌଣସି ଆପତ୍ତି ନାହିଁ : ପୁଟିନ

ବ୍ରସେଲ୍ସ : ୟୁରୋପୀୟ ସଂଘର ସଦସ୍ୟ ହେବାକୁ ୟୁକ୍ରେନର ଆବେଦନ ସଂପର୍କରେ ଆସନ୍ତା ୨୩ ତାରିଖରେ ବିଚାର କରିବ ୟୁରୋପୀୟ ପରିଷଦ । ଏହି ବୈଠକରେ ୟୁରୋପୀୟ ସଂଘର ସମସ୍ତ ୨୭ ସଦସ୍ୟ ରାଷ୍ଟ୍ର ଓ ୟୁରୋପୀୟ କମିସନଙ୍କ ସମର୍ଥନ ଆବଶ୍ୟକ ହେବ । ତେବେ ପୂର୍ବରୁ ହିଁ ୟୁରୋପୀୟ କମିସନ ୟୁକ୍ରେନର ସଦସ୍ୟତାକୁ ସମର୍ଥନ କରିସାରିଛି ।

ତେବେ ଆଶ୍ଚର୍ଯ୍ୟ କଥା ହେଉଛି ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନ ୟରୋପୀୟ ସଂଘର ସଦସ୍ୟ ହେଲେ ତାଙ୍କର କୌଣସି ଆପତ୍ତି ନାହିଁ ।

ସେ କହିଛନ୍ତି ଯେ, ୟୁରୋପୀୟ ସଂଘ ଏକ ସାମରିକ ମେଣ୍ଟ ନୁହେଁ, ଏହାର ଉଦ୍ଦେଶ୍ୟ ଅର୍ଥନୈତିକ । ଏଣୁ ୟୁକ୍ରେନର ସଦସ୍ୟତାକୁ ନେଇ ରୁଷର କୌଣସି ଆପତ୍ତି ନାହିଁ । ଏକ ଅର୍ଥନୈତିକ ମେଣ୍ଟର ସଦସ୍ୟ ହେବା ନ ହେବା ଏକ ସାର୍ବଭୌମ ରାଷ୍ଟ୍ରର ନିଜସ୍ବ ନିଷ୍ପତ୍ତି ।

ଶୁକ୍ରବାରଦିନ ୟୁରୋପୀୟ ସଂଘର ସଦସ୍ୟତା ପାଇଁ ୟୁକ୍ରେନକୁ ସମର୍ଥନ ସଂପର୍କରେ ୟୁରୋପୀୟ କମିସନର କାର୍ଯ୍ୟନିର୍ବାହୀ କମିସନର ମୁଖ୍ୟ ଉର୍ସୁଲା ଭାନ ଡର ଲେୟେନ ଘୋଷଣା କରିଥିଲେ । ଏହି ଘୋଷଣା କରିବା ବେଳେ ସେ ୟୁକ୍ରେନ ଜାତୀୟ ପତାକାର ରଙ୍ଗ- ହଳଦିଆ ଓ ନୀଳ ରଙ୍ଗର ଏକ ପୋଷାକ ପିନ୍ଧିଥିଲେ ।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଆରମ୍ଭ ହେବାର ୪ ଦିନ ପରେ ୟୁକ୍ରେନ ସରକାର .ୟୁରୋପୀୟ ସଂଘରେ ସାମିଲ ହେବାକୁ ଆବେଦନ କରିଥିଲେ । ସେବେଠାରୁ ଏହି ଆବେଦନ ବିଚାରାଧୀନ ଥିଲା ।

ସମ୍ବନ୍ଧିତ ଖବର