ମସ୍କୋ: ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୧ ବର୍ଷ ହେବ ଯୁଦ୍ଧ ଜାରି ରହିଛି | ତେବେ ଏହି ଏକ ବର୍ଷ ମଧ୍ୟରେ ନା ଋଷ ୟୁକ୍ରେନ ଉପରେ ଆକ୍ରମଣ କମ କରିଛି ନା ୟୁକ୍ରେନ ହାର ମାନିଛି | ଆଉ ଏହାରି ଭିତରେ ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏମିତି ଏକ ଯୋଜନା ବିଷୟରେ ଖୁଲାସା ହୋଇଛି, ଯାହାକି ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି | ବାସ୍ତବରେ ଋଷ ରାଷ୍ଟ୍ରପତି ଏବେ ୟୁକ୍ରେନରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି | ଲଗାତାର ତିନିମାସ ଧରି ଏହି ଯୋଜନା ପ୍ରସ୍ତୁତ ହୋଇଥିବାର ଜଣାପଡିଛି | ରିପୋର୍ଟ ମୁତାବକ ଲଗାତାର ବଢୁଥିବା କ୍ଷତି ସହ ସୈନ୍ୟ ବଳ କମୁଥିବାରୁ ପୁଟିନ ଏଭଳି ନିଷ୍ପତ୍ତି ନେଇଛନ୍ତି | ରିପୋର୍ଟରେ କୁହାଯାଇଛି ଯେ ପୁଟିନ ମୁଖ୍ୟତଃ ତିନିଟି ଅସୁବିଧାର ଏବେ ସାମ୍ନା କରୁଛନ୍ତି |

Advertisment

ପ୍ରଥମଟି ହେଉଛି ଋଷ ଅନୁମାନ କରୁଛି ଯେ ଯେଭଳି ପଡୋଶୀ ରାଷ୍ଟ୍ରମାନେ ମିଳିତ ଭାବେ ଋଷ ଉପରେ ଆକ୍ରମଣ ନ କରିଦିଅନ୍ତି | ସେହିପରି ଦ୍ଵିତୀୟରେ ୟୁକ୍ରେନକୁ ଲଗାତାର ଅନ୍ୟ ଦେଶମାନେ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିଛନ୍ତି | ଆଉ ତୃତୀୟଟି ହେଉଛି ଋଷ ସେନା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ଓ ସୈନ୍ୟବଳ ସହ ଅସ୍ତ୍ରଶସ୍ତ୍ର ଭଣ୍ଡାର ମଧ୍ୟ କମୁଛି | ଋଷ ଆକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ପାଖାପାଖି ୟୁକ୍ରେନରେ ୭ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୮୦ ଲକ୍ଷ ଲୋକ ବେସାହାରା ହୋଇପଡିଛନ୍ତି | ଆଉ ଏହି ପରିସ୍ଥିତିରେ ଯୁଦ୍ଧକୁ ଜାରି ରଖିବା ପାଇଁ ଆତ୍ମଘାତୀ ଆକ୍ରମଣ ପାଇଁ ପୁଟିନ ଯୋଜନା କରୁଛନ୍ତି |