ମସ୍କୋ: ବୁଧବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଆଟ୍ଲାଣ୍ଟିକ୍ ମହାସାଗରକୁ ନୂତନ ପିଢ଼ିର ହାଇପର୍ସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରସଜ୍ଜିତ ଏକ ଦ୍ରୁତଗାମୀ କ୍ଷୁଦ୍ର ଯୁଦ୍ଧପୋତ ପଠାଇ ପାଶ୍ଚାତ୍ୟ ରାଷ୍ଟ୍ରକୁ ସଙ୍କେତ ଦେଇଛନ୍ତି ଯେ, ୟୁକ୍ରେନ୍ ଯୁଦ୍ଧରେ ରୁଷ୍ ପଛଘୁଞ୍ଚା ଦେବନାହିଁ।
ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଏବଂ ‘ଆଡ୍ମିରାଲ୍ ଅଫ୍ ଦି ଫ୍ଲିଟ୍ ଅଫ୍ ସୋଭିଏତ୍ ୟୁନିୟନ୍ ଗୋର୍ସ୍କୋଭ୍’ ନାମକ ଉକ୍ତ ଯୁଦ୍ଧପୋତର କମାଣ୍ଡର୍ ଇଗୋର୍ କ୍ରୋଖ୍ମଲ୍ଙ୍କ ସହିତ ‘ଭିଡିଓ କନ୍ଫରେନ୍ସିଙ୍ଗ୍’ରେ ପୁଟିନ କହିଛନ୍ତି, ଏହି ଯୁଦ୍ଧପୋତ ‘ସର୍କନ୍’ ହାଇପର୍ସୋନିକ୍ ଅସ୍ତ୍ରରେ ସଜ୍ଜିତ।
ଏଥର ଏହି ଯୁଦ୍ଧପୋତ ସର୍ବାଧୁନିକ ‘ହାଇପର୍ସୋନିକ୍ ମିସାଇଲ୍ ସିଷ୍ଟମ୍’-‘ସର୍କନ୍’ ବଳରେ ବଳୀୟାନ୍। ମୁଁ ନିଶ୍ଚିତ ଯେ, ଏଭଳି ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ରୁଷ୍କୁ ସମ୍ଭାବ୍ୟ ବାହ୍ୟ ବିପତ୍ତିରୁ ସୁରକ୍ଷା ଦେବ ବୋଲି ପୁଟିନ୍ କହିଛନ୍ତି।
ପୁଟିନ୍ ଆହୁରି ମଧ୍ୟ କହିଛନ୍ତି, ଏହି ଅସ୍ତ୍ର ସହିତ ବିଶ୍ବର ଅନ୍ୟ କୌଣସି ଦେଶର ଅସ୍ତ୍ରଶସ୍ତ୍ର ତୁଳନୀୟ ନୁହେଁ।
ଶୋଇଗୁ କହିଛନ୍ତି ଯୁଦ୍ଧପୋତ ‘ଗୋର୍ସ୍କୋଭ୍’ ଆଟ୍ଲାଣ୍ଟିକ୍ ମହାସାଗର, ଭାରତ ମହାସାଗର ଏବଂ ଭୂମଧ୍ୟସାଗରକୁ ଯାତ୍ରା କରିବ। ଏଥିରେ ଥିବା ‘ସର୍କନ୍’ କ୍ଷେପଣାସ୍ତ୍ର ସମୁଦ୍ର ଓ ସ୍ଥଳ ଭାଗରେ ଥିବା ଶତ୍ରୁ ଉପରକୁ ଶକ୍ତିଶାଳୀ ଲକ୍ଷ୍ୟଭେଦୀ ଆକ୍ରମଣ କରିପାରିବ। ଶବ୍ଦର ଗତି ବେଗଠାରୁ ୯ଗୁଣ ଅଧିକ ଏହି କ୍ଷେପଣାସ୍ତ୍ର ୧୦୦୦ କିଲୋମିଟର୍ ଦୂରରେ ଥିବା ଲକ୍ଷ୍ୟ ଭେଦ କରିପାରିବ।
ରୁଷ୍ ପ୍ରତି ଥିବା ବିପଦର ମୁକାବିଲା କରିବା ସହିତ ମିତ୍ର ରାଷ୍ଟ୍ରମାନଙ୍କ ସହିତ ମିଳିତ ଭାବେ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏହି ଜଳଯାତ୍ରାର ମୁଖ୍ୟ କାର୍ଯ୍ୟ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ‘ହାଇପର୍ସୋନିକ୍’ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ରୁଷ୍, ଚୀନ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଏହି ଅସ୍ତ୍ରଶସ୍ତ୍ରର ଗତି ବେଗ ଶବ୍ଦର ଗତି ବେଗଠାରୁ ୫ଗୁଣ ଅଧିକ।
ତେଣେ, ୟୁକ୍ରେନ୍କୁ ପୁଟିନ୍ ସେନା ପଠାଇବାର ପ୍ରାୟ ୧୦ ମାସ ବିତି ଯାଇଥିଲେ ବି ଯୁଦ୍ଧ ଅବସାନର ଆଭାସ ମିଳୁନାହିଁ। ସେଠାରେ ମଧ୍ୟ ରୁଷ୍ ‘ହାଇପର୍ସୋନିକ୍ ‘କିଞ୍ଝାଲ୍’ (ଭୁଜାଲି) କ୍ଷେପଣାସ୍ତ୍ର ପ୍ରୟୋଗ କରିଛି।