ମସ୍କୋ/କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନେସ୍କିଙ୍କ ସହିତ କୌଣସି ଶାନ୍ତି ଆଲୋଚନା ପାଇଁ ରୁଷିଆ ପ୍ରତିପକ୍ଷ ବ୍ଲାଡିମିର ପୁଟିନ ମନା କରିଛନ୍ତି। ପୁଟିନଙ୍କ ସହଯୋଗୀ ତଥା ରୁଷିଆର ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରି ମେଦଭେଦେଭ କହିଛନ୍ତି ୟୁକ୍ରେନ ରୁଷିଆର ଅଂଶବିଶେଷ।
ରୁଷିଆ ନିଜର ସୈନ୍ୟ ଅଭିଯାନ ଜାରି ରଖିବ ବୋଲି ସେ କହିଛନ୍ତି। ଯେପର୍ଯ୍ୟନ୍ତ ପ୍ରତିପକ୍ଷ ଆତ୍ମସମର୍ପଣ ନ କରିଛି ରୁଷିଆ ନିଜ ଅଭିଯାନରୁ ହଟିବ ନାହିଁ।
ୟୁକ୍ରେନ ପକ୍ଷରୁ କୁହାଯାଉଛି ଯେ, ଆମେ ରୁଷିଆର ଅଂଶ ନୁହଁ। ପୁଟିନଙ୍କ ସେନା ପ୍ରତିହିଂସା ପରାୟଣ ହୋଇ ୟୁକ୍ରେନ ଉପରେ ନିଜର ଆକ୍ରମଣ ଜାରି ରଖିଛନ୍ତି।
ସୋମବାର କ୍ରେମଲିନ କହିଛି ଜର୍ମାନୀ ସୈନ୍ୟଙ୍କ କରାଯାଇଥିବା ଆଲୋଚନାର ରେକର୍ଡିଂ ଲିକ୍ ହୋଇଛି। ସେଥିରୁ ଜଣାପଡୁଛି ଜର୍ମାନୀର ସୈନ୍ୟମାନେ ରୁଷିଆ ଉପରେ ଆକ୍ରମଣ କରୁଥିବା ଯୋଜନା କରୁଛନ୍ତି। ଏନେଇ ରୁଷିଆ ପକ୍ଷରୁ ଅସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରାଯାଇଛି।
ଇଣ୍ଟରନେଟରେ ଲିକ୍ ହୋଇଥିବା ୩୮ ମିନିଟର ରେକର୍ଡିଂରେ କିଭଳି କ୍ରୁଜ ମିସାଇଲ ଟାରସର ବ୍ୟବହାର କରାଯିବ ତାହା ଉପରେ ଆଲୋଚନା କରାଯାଇଛି। ତେବେ ଜର୍ମାନୀ ଅଧିକାରୀ ରୁଷିଆର ଏହି ଆରୋପକୁ ଖଣ୍ଡନ କରିବା ସହିତ ଏନେଇ ଯାଞ୍ଚ୍ ଜାରି ରହିଥିବା କହିଛନ୍ତି। ତେବେ ଜର୍ମାନୀର ଶୀର୍ଷ ଅଧିକାରୀଙ୍କ ବାର୍ତ୍ତାଳାପ କିଭଳି ଲିକ୍ ହେଲା ସେନେଇ ମଧ୍ୟ ତଦନ୍ତ ଜାରି ରହିଛି।
ଇତିମଧ୍ୟରେ ରୁଷିଆର ସମାରା ସହର ନିକଟରେ ଏକ ରେଲୱେ ପୋଲରେ ବିସ୍ଫୋରଣ ଘଟିଛି। ଦକ୍ଷିଣ-ପଶ୍ଚିମରେ ଭୋଲଗା ନଦୀ ଉପରେ ଥିବା ସମାରା ଅଞ୍ଚଳ ଦେଶର ଉଦ୍ୟୋଗ କେନ୍ଦ୍ର ଭାବେ ପରିଚିତ। ରୁଷିଆ ଏଥିପାଇଁ ୟୁକ୍ରେନକୁ ଦାୟୀ କରୁଛି। ଏହା ସହିତ ଶାନ୍ତି ଆଲୋଚନାକୁ ମନା କରିଛି।