ସର୍ବସାଧାରଣ ସ୍ଥାନକୁ ଯିବା ଲାଗି ରୁଷ୍‌ର ରାଷ୍ଟ୍ରପତି ପୁଟିନ୍‌ଙ୍କର ‘ନକଲି ଚେହେରା’ ପାଇଁ ଯୋଜନା ହୋଇଥିଲା

ମସ୍କୋ: ସର୍ବସାଧାରଣ ସ୍ଥାନକୁ ଯିବା ଲାଗି ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ବଦଳରେ ‘ନକଲି ପୁଟିନ୍‌’ (ଅବିକଳ ଭ୍ଲାଦିମିର ପୁଟିନ୍‌ଙ୍କ ପରି ଦିଶୁଥିବା ଅନ୍ୟ ଜଣେ ବ୍ୟକ୍ତି) ପାଇଁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ, ଏ ଭଳି ବ୍ୟବସ୍ଥାକୁ ସେ ନିଜେ ଅଗ୍ରାହ୍ୟ କରି ଦେଇଥିଲେ ବୋଲି ଗୁରୁବାର ଦିନ ଏକ ସାକ୍ଷାତ୍‌କାରରେ ପୁଟିନ୍‌ କହିଛନ୍ତି।

ପୁଟିନ ରୁଷ୍‌ର ରାଷ୍ଟ୍ରପତି ହେବାର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ସାକ୍ଷାତ୍‌କାର ନିଆଯାଉଥିଲା। ସାକ୍ଷାତ୍‌ କରିଥିଲେ ଖବର ସରବରାହ ସଂସ୍ଥାନ ‘ଟାସ୍‌’ର ପ୍ରତିନିଧି ଆନ୍ଦ୍ରେଇ ବାନ୍ଦେଙ୍କୋ। ସାକ୍ଷାତ୍‌କାର ସମୟରେ ପୁଟିନ୍‌ଙ୍କୁ ରୁଷୀୟ ଭାଷାର କେତେଗୁଡ଼ିଏ ଜନପ୍ରିୟ ଇଣ୍ଟର୍‌ନେଟ୍‌ ସର୍ଚର ତାଲିକା ଦେଖାଯାଇଥିଲା। ସେଥିରେ ପୁଟିନ୍‌ଙ୍କ ପରି ଦିଶୁଥିବା ବ୍ୟକ୍ତିବିଶେଷଙ୍କ ଚିତ୍ର ଥିଲା।

ପ୍ରତିନିଧି ଆନ୍ଦ୍ରେଇ ବାନ୍ଦେଙ୍କୋ ପଚାରିଥିଲେ ଯେ ଏ ଫଟୋଟି କ’ଣ ପ୍ରକୃତରେ ଆପଣଙ୍କର? ପୁଟିନ୍‌ କହିଥିଲେ- ‘‘ହଁ।’’
ଏ ପ୍ରସଙ୍ଗରେ ଅଧିକ ବ୍ୟାଖ୍ୟା ଦେଇ ପୁଟିନ୍‌ କହିଲେ କି, ତାଙ୍କର ‘ନକଲ’ ରଖାଯାଇ ନ ଥିଲା।

‘ନକଲି ପୁଟିନ୍‌’ ବିଷୟରେ କୌଣସି ଯୋଜନା ଥିଲା କି, ନାହିଁ ପଚରା ଯିବାରୁ ସେ କହିଲେ- ହଁ, ଯୋଜନା ଥିଲା। କିନ୍ତୁ, ମୁଁ ଅଗ୍ରାହ୍ୟ କରି ଦେଇଥିଲି। ଆତଙ୍କବାଦ ବିରୋଧରେ ଚାଲିଥିବା ଲଢ଼େଇ ସମୟରେ ଏ ଭଳି ପ୍ରସ୍ତାବ ଦିଆଯାଇଥିଲା।

Image Source: The Tribune

ବାନ୍ଦେଙ୍କୋ ପଚାରିଲେ, କ’ଣ ୨୦୦୦ ମସିହା ପ୍ରାରମ୍ଭରେ ଏ ଭଳି ବ୍ୟବସ୍ଥା ଲାଗି ଯୋଜନା କରାଯାଇଥିଲା? ପୁଟିନ୍‌ କହିଲେ, ହଁ।

ରୁଷ୍‌ର ପ୍ରଧାନମନ୍ତ୍ରୀ ଏବଂ ପରେ ରଷ୍ଟ୍ରପତି ଭାବେ ପୁଟିନ୍‌ ଚେଚ୍‌ନିୟା ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ଦ୍ୱିତୀୟ ସଂଗ୍ରାମର ତତ୍ତ୍ୱାବଧାରକ ଥିଲେ। ୧୯୯୯ ରୁ ୨୦୦୦ ଯାଏଁ ଏହି ସଂଗ୍ରାମ ଚାଲିଥିଲା। ରୁଷ୍‌ର ସଶସ୍ତ୍ର ବାହିନୀ ଏଥିରେ ବିଜୟ ହାସଲ କରିଥିଲା। ଫଳରେ ବିହ୍ରୋହୀ ଇସ୍‌ଲାମିଷ୍ଟ୍‍ମାନେ ଉତ୍ତର କାକାସସ୍‌ରେ ପ୍ରାୟ ସବୁବେଳେ ବୋମା ବର୍ଷଣ କଲେ। ଆତ୍ମଘାତୀ ବୋମା ବିସ୍ଫୋରଣକାରୀମାନେ ମଧ୍ୟ ରୁଷ୍‌ର ପ୍ରଧାନ ସହରଗୁଡ଼ିକୁ ଆକ୍ରମଣ କଲେ। ପୁଟିନ୍‌ଙ୍କ ପ୍ରତି ସମ୍ଭାବ୍ୟ ବିପଦ ଥିବାରୁ ‘ନକଲି ପୁଟିନ୍‌’ ପାଇଁ ବ୍ୟବସ୍ଥା କରାଯାଇଥିଲା।

ଏଥିରୁ ଜଣାପଡ଼ିଛି ଯେ ରୁଷ୍‌ର ଶକ୍ତିଶାଳୀ ମାନବ ପୁଟିନ୍‌ଙ୍କ ‘ନକଲି ଚେହେରା’ ପ୍ରସଙ୍ଗରେ ଇଣ୍ଟର୍‌ନେଟ୍‌ରେ ଯେଉଁ କଳ୍ପନାଜଳ୍ପନା ଚାଲିଥିଲା, ତାହା ଭିତ୍ତିହୀନ ନୁହେଁ।

ସମ୍ବନ୍ଧିତ ଖବର