ରୁଷ ରାଷ୍ଟ୍ରପତି ପୁତିନଙ୍କ ଗୁପ୍ତ ମହଲର ଫଟୋ ଲିକ୍; ସମୁଦ୍ରକୁ ମୁହଁ କରିଥିବା ମହଲର ଦାମ ୭ ହଜାର ୫ ଶହ କୋଟି

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସବୁଠାରୁ ବଡ ବିରୋଧୀ ଏଲେକ୍ସେଇ ନଭେଲନିଙ୍କ ଟିମ୍ ପୁତିନଙ୍କ ମହଲର ଫଟୋକୁ ଅନଲାଇନରେ ଲିକ୍ କରି ତାଙ୍କ ଉପରେ ଚାପ ପକେଇବାକୁ ଚେଷ୍ଟା କରିଛନ୍ତି । ନଭେଲ ଟିମ୍ ଦାବି କରିଛି ଏହି ଫଟୋ ‘ବ୍ଲାକ୍ ସି’ରେ ଥିବା ପୁତିନଙ୍କ ମହଲ । ଏହି ମହଲରେ ଆମୋଦପ୍ରମୋଦର ସମସ୍ତ ବ୍ୟବସ୍ଥା କରା ଯାଇଛି । ପୁତିନଙ୍କ ମନୋରଞ୍ଜନ ପାଇଁ ପୋଲ୍ ନୃତ୍ୟ କଠୋରୀ, ଷ୍ଟ୍ରିପଟିଜ୍ ହଲ୍ ଓ ହୁକ୍କା ଲାଉଞ୍ଜ ମଧ୍ୟ ଅଛି । ମହଲର ଦାମ ପାଖାପାଖି ୭ ହଜାର ୫ ଶହ ଟଙ୍କା (୧ ବିଲିଅନ୍ ଡଲାର) । ଏହା ପୂର୍ବରୁ ଫଟୋ ଜାରି କରି କୁହାଯାଇଥିଲା ଯେ ମହଲରେ କ୍ୟାସିନୋ ଓ ଏକ୍ଵା ଡିସ୍କୋ ମଧ୍ୟ ଅଛି । ଏହି ମହଲ ୧୬ ମହଲା ବିଶିଷ୍ଟ ଓ ଏହା ସମୁଦ୍ର ଆଡକୁ ମୁହାଁଇଛି । ଏହାର ଅଧିକାଂଶ ମହଲା ଭୂମି ତଳେ ଅଛି । ଏହାକୁ ହଲିଉଡର ପ୍ରସିଦ୍ଧ ଚରିତ୍ର ଜେମ୍ସ ବଣ୍ଡର ଗୁପ୍ତ ସ୍ଥାନ ଭଳି ତିଆରି କରାଯାଇଛି ବୋଲି ସୂଚନା ମିଳିଛି ।

ମହଲକୁ ନେଇ ରାଷ୍ଟ୍ରପତି ପୁତିନ କହିଛନ୍ତି ଏହି ମହଲ ତାଙ୍କ ଆରବପତି (ବିଲିଅନାର୍) ସାଙ୍ଗର। ତେବେ ସମ୍ପୂର୍ଣ୍ଣ ମହଲରେ ରୁଷିଆର ପ୍ରତୀକ ଦୁଇଶିଙ୍ଘ ବାଲା ‘ଇଗଲ୍’ ଦେଖା ଯାଉଛି । ଏଥିରୁ ଜଣା ପଡୁଛି ଯେ ଏହି ମହଲ ସରକାରୀ ।

ଏକ ପ୍ରସିଦ୍ଧ ମ୍ୟାଗାଜିନକୁ ନଭେଲନି ପୁତିନଙ୍କ ନାମରେ ଅନେକ ଗୁଡିଏ ଅଭିଯୋଗ କରିଛନ୍ତି । ନଭେଲନି କହିଛନ୍ତି ସେ ନିଜେ ରାଷ୍ଟ୍ରପତି ହେବା ପାଇଁ ଯେକୌଣସି ଲୋକକୁ ମାରିପାରନ୍ତି । ରୁଷିଆରେ ଯେକୌଣସି ବି ବିରୋଧକୁ ଦମନ କରିବା ପାଇଁ ସେ ୪ ଲକ୍ଷ ସୈନ୍ୟଙ୍କୁ ପ୍ରସ୍ତୁତ କରି ରଖିଛନ୍ତି।

ନଭେଲନି କହିଛନ୍ତି ଦୁର୍ନୀତିର ପର୍ଦାଫାଶ କରିବା ପାଇଁ ୨୦୧୧ ରେ ସେ ଏକ ଫାଉଣ୍ଡେସନ ଗଠନ କରିଥିଲେ। ଏହି ଫାଉଣ୍ଡେସନ ଅନେକ ଧନୀ ଲୋକଙ୍କ ଖରାପ କାମକୁ ସାମନାକୁ ଆଣିଥିଲା । ଏହାପରେ ଦେଶରେ ନିରପେକ୍ଷ ନିର୍ବାଚନ ପାଇଁ ଅନେକ ଲୋକ ରାସ୍ତାକୁ ଓହ୍ଲାଇ ଆସିଥିଲେ । ପରେ ଏମାନଙ୍କ ନାମରେ କାଠ ଦୁର୍ନୀତି ଅଭିଯୋଗରେ ଦୋଷୀ ଦର୍ଶାଯାଇଥିଲା ଓ ତାଙ୍କ ଭାଇଙ୍କୁ ଚୋରି ଅଭିଯୋଗରେ ଜେଲ୍ ପଠା ଯାଇଥିଲା ।
ନଭେଲନି ୨୦୧୩ ରେ ମେୟର ନିର୍ବାଚନ ଲଢିଥିଲେ ଯେଉଁଥିରେ ତାଙ୍କୁ ୩୦ ପ୍ରତିଶତ ଭୋଟ ମିଳିଥିଲା । ୨୦୧୬ ରେ ନଭେଲନି ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ ରୁଷିଆ ସରକାର ତାଙ୍କୁ ଚାପ ପକାଇବାକୁ ଚେଷ୍ଟା କରିଥିଲେ । ୨୦୨୦ ରେ ସାଇବେରିଆରେ ତାଙ୍କୁ ବିଷ ଦିଆଯାଇଥିଲା । ଏଥିରୁ ବି ଯେତେବେଳେ ନଭେଲନି ବଞ୍ଚିଗଲେ, ଦେଶକୁ ଫେରିବା ପରେ ତାଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରି ଦିଆଗଲା ।

ସମ୍ବନ୍ଧିତ ଖବର