ୟୁକ୍ରେନ୍‌ର ୪ ଅଞ୍ଚଳ ଦଖଲ ପାଇଁ ଚୁକ୍ତି ସ୍ବାକ୍ଷର କଲେ ପୁଟିନ

ମସ୍କୋ : ୟୁକ୍ରେନ୍‌ର କିଛି ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଥିବା ରୁଷ୍‌ ସମ୍ପୂର୍ଣ୍ଣ ଭାବେ ଏହାକୁ ନିଜ ଦଖଲକୁ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍‌ ଅଞ୍ଚଳକୁ ରୁଷ୍‌ରେ ସାମିଲ କରିବାପାଇଁ ଶୁକ୍ରବାର ଦିନ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପୁଟିନ କହିଛନ୍ତି, ଦଖଲ ହୋଇଥିବା ସମସ୍ତ ଅଞ୍ଚଳକୁ ରୁଷ୍‌ ଯେକୌଣସି ଉପାୟରେ ସୁରକ୍ଷା ଦେବ। ପୁଟିନ ଆଜି କଥାବାର୍ତ୍ତା ପାଇଁ ମଧ୍ୟ ୟୁକ୍ରେନକୁ ଅନୁରୋଧ କରିଛନ୍ତି କିନ୍ତୁ ନୂଆ କରି ଦଖଲ କରିଥିବା ଅଞ୍ଚଳକୁ ରୁଷ୍‌ ଛାଡ଼ିବ ନାହିଁ ବୋଲି ପୁଟିନ ସ୍ପଷ୍ଟ କରିଦେଇଛନ୍ତି। ପୁଟିନ ଶୁକ୍ରବାର ଦିନ ଏକ ଉତ୍ସବରେ ଅଧ୍ୟକ୍ଷତା କରି ୟୁକ୍ରେନ୍‌ର ୪ ଅଞ୍ଚଳର ରୁଷ୍‌ ସହ ଆନୁଷ୍ଠାନିକ ମିଶ୍ରଣ ଘୋଷଣା କରିଛନ୍ତି। ଏହା ସହିତ ୟୁକ୍ରେନ୍‌ ସାମରିକ କାର୍ଯ୍ୟାନୁଷ୍ଠାନ ତୁରନ୍ତ ବନ୍ଦ କରିବାପାଇଁ ପୁଟିନ କହିଛନ୍ତି।

ଅନ୍ୟପକ୍ଷେ ରୁଷ୍‌ ୟୁକ୍ରେନ୍‌ ଅଞ୍ଚଳକୁ ଦଖଲ କରିବା ବିଷୟକୁ ୟୁରୋପୀୟ ରାଷ୍ଟ୍ରସଂଘ କଡ଼ା ନିନ୍ଦା କରିଛନ୍ତି। ବେଆଇନ ଗଣଭୋଟକୁ କେବେ ବି ଗ୍ରହଣ କରାଯିବନି ବୋଲି ୟୁରୋପୀୟ ରାଷ୍ଟ୍ରସଂଘ କହିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି କହିଛନ୍ତି ଯେ ନାଟୋରେ ୟୁକ୍ରୋନ୍‌ ସାମିଲ ହେବାନେଇ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଉଲ୍ଲେଖ‌ଯୋଗ୍ୟ ଯେ ରୁଷ୍‌ରେ ସାମିଲ ହେବାପାଇଁ ୟୁକ୍ରେନ୍‌ର ୪ଟି ଅଞ୍ଚଳରେ ରୁଷ୍‌ ପକ୍ଷରୁ ଗଣଭୋଟ୍‌ କରାଯାଇଥିଲା। ଗଣଭୋଟ୍‌ ଶେଷ ହେବାର ୩ ଦିନ ପରେ ଆଜି ଏହ‌ି ଚୁକ୍ତି ସ୍ବାକ୍ଷର ହୋଇଛି। ଲୁହାନସ୍କ, ‌ଡୋନେସ୍କ, ଖେରସନ ଏବଂ ଜାପୋରିଝିଆକୁ ରୁଷ୍‌ ସମ୍ପୂର୍ଣ୍ଣ ଭାବେ ନିଜ ଦଖଲକୁ ନେଇଛି।

ସମ୍ବନ୍ଧିତ ଖବର