କ୍ଷେପଣାସ୍ତ୍ର ବର୍ଷା ପରେ ଲକ୍ଷାଧିକ ସୈନିକ ପଶିବେ
ରୁଷ୍‌ ଦଖଲରେ ୟୁକ୍ରେନର ଏକାଧିକ ସହର, ବନ୍ଦର

Advertisment

ନୂଆଦିଲ୍ଲୀ, : ୟୁକ୍ରେନ୍‌ ପାଇଁ ଆଗକୁ ଅତି ଭୟାନକ ସମୟ ଆସୁଛି। ରାଷ୍ଟ୍ରପତି ପୁଟିନ ୟୁକ୍ରେନ୍‌କୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପର୍ଯ୍ୟନ୍ତ ସାମରିକ ଅଭିଯାନକୁ ଅତି ଭୀଷଣ କରିବେ। ୟୁକ୍ରେନ୍‌ ଦଖଲ ପାଇଁ ରୁଷ୍‌ ଯେକୌଣସି ସ୍ତରକୁ ଯିବା ପାଇଁ ପ୍ରସ୍ତୁତ। ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ବର୍ଷା ହେବ। ଏହାସହିତ ଲକ୍ଷାଧିକ ସୈନ୍ୟ ପଶିବେ। ୟୁକ୍ରେନକୁ ସଂପୂର୍ଣ୍ଣ ରୂପେ ନିଜ ନିୟନ୍ତ୍ରଣକୁ ଆଣିବା ପର୍ଯ୍ୟନ୍ତ ଏଭଳି ଆକ୍ରମଣ ପାଇଁ ଭୟଙ୍କର ଯୋଜନା କରିଛନ୍ତି ପୁଟିନ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁ‌ଏଲ୍‌ ମାକ୍ରନ୍‌ଙ୍କ ସହିତ ଆଜି ଟେଲିଫୋନ୍‌ ଆଲୋଚନା ବେଳେ ଏହି ଆଭାସ ଦେଇଛନ୍ତି ପୁଟିନ୍। ମାକ୍ରନ୍‌ ୯୦ ମିନିଟ୍‌ ଧରି ପୁଟିନଙ୍କୁ ବୁଝାଇଥିଲେ। କିନ୍ତୁ ସେ କିଛି ଶୁଣିବ‌ାକୁ ପ୍ରସ୍ତୁତ ନଥିଲେ। ପୁଟି୍ନ ତାଙ୍କୁ କହିଥିଲେ ଯେ ୟୁକ୍ରେନ୍‌ରେ ରୁଷ୍‌ ‌କାର୍ଯ୍ୟାନୁଷ୍ଠାନ ସଫଳ ହେବ ଏବଂ ଲକ୍ଷ୍ୟ ହାସଲ କରିବ। ରୁଷ୍‌ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି। ୟୁକ୍ରେନ ନେତୃବୃନ୍ଦଙ୍କ ଦ୍ବାରା କଥାବାର୍ତ୍ତା ବିଳମ୍ବ ପାଇଁ ଯେତିକି ଉଦ୍ୟମ କରାଯିବ ରୁଷ୍‌ ଏହାର ସର୍ତ୍ତକୁ ସେତିକି ଅଧିକ କଠୋର କରିବ। ପଶ୍ଚିମ ରାଷ୍ଟ୍ରମାନଙ୍କ ଦ୍ବାରା ଲାଗୁ ହୋଇଥିବା ଅତି କଠୋର ଆର୍ଥିକ କଟକଣା ଓ ବାସନ୍ଦକୁ ପୁଟିନ ସାମାନ୍ୟତମ ଖାତିର୍‌ ନକରି ତାଙ୍କ ରଣନୀତି ଅନୁଯାୟୀ ଆଗକୁ ବଢ଼ୁଛନ୍ତି। ଏଭଳି ସ୍ଥିତିରେ ୟୁକ୍ରେନ୍‌ ପ୍ରଳୟଙ୍କରୀ କ୍ଷୟକ୍ଷତିର ସମ୍ମୁଖୀନ ହେବ ବୋଲି ମାକ୍ରନ୍‌ କହିଛନ୍ତି।

publive-image Al Jazeera

ଅନ୍ୟପକ୍ଷରେ ଯୁଦ୍ଧ କ୍ଷେତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୟୁକ୍ରେନ୍‌ର ପ୍ରମୁଖ ସହରଗୁଡ଼ିକୁ ରୁଷ୍‌ ଗୋଟିଏ ପରେ ଗୋଟିଏ ନିଜ ନିୟନ୍ତ୍ରଣକୁ ନେଇଥିବା ବେଳେ ରାଜଧାନୀ କିବ୍‌କୁ ଚାରିପଟୁ ଦୁଇ ଦିନ ହେଲା ଘେରି ରହିଛି। ଯେ କୌଣସି ମୁହୂର୍ତ୍ତରେ କିବ୍‌ ଦଖଲ ପାଇଁ ରୁଷ୍‌ ସେନା ବିଶାଳ ଅଭିଯାନ ଆରମ୍ଭ କରିବ। ଲକ୍ଷାଧିକ ରୁଷ୍‌ ସୈନିକ କିବ୍‌ ସହରରେ ପଶିବା ପାଇଁ ଏହାର ଉପକଣ୍ଠରେ ପ୍ରସ୍ତୁତ ରହିଛନ୍ତି। ତେବେ ଏହା ପୂର୍ବରୁ କ୍ଷେପଣାସ୍ତ୍ର ମାଡ଼ କରି କିବ୍‌ରେ ଥିବା ସମସ୍ତ ସାମରିକ ପ୍ରତିଷ୍ଠାନ ଓ ସେନା ଶିବିରକୁ ଛାରଖାର କରିଦେବାକୁ ରୁଷ୍‌ ଲକ୍ଷ୍ୟ ରଖିଛି। ରୁଷ୍‌ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ କିବ୍‌ ଦଖଲ ପାଇଁ ପ୍ରସ୍ତୁତ ହେଉଛି। କିବ୍‌କୁ ପ୍ରଥମେ ନିୟନ୍ତ୍ରଣକୁ ନନେଇ ପ୍ରଥମେ ଅନ୍ୟ ପ୍ରମୁଖ ସହରମାନଙ୍କୁ ଟାର୍ଗେଟ୍‌ କରି ସେଠାରେ ୟୁକ୍ରେନ୍‌ ସେନାର ପ୍ରତିରୋଧ କ୍ଷମତାକୁ ଶେଷ କରିଦେଇଛି। ତେବେ କିବ୍‌ରେ ରୁଷ୍‌ ସେନାକୁ କଡ଼ା ଚ୍ୟାଲେଂଜ ମିଳିବ ବୋଲି କୁହାଯାଉଛି । ୟୁକ୍ରେନ୍‌ ସେନା କିବ୍‌ର ସମସ୍ତ ପ୍ରମୁଖ ସ୍ଥଳଗୁଡ଼ିକରେ ପୋଜିସନ ନେଇସାରିଛନ୍ତି। ଟ୍ୟାଙ୍କ୍‌ ବିଧ୍ବଂସୀ କ୍ଷେପଣାସ୍ତ୍ର ସାଧାରଣ ଲୋକଙ୍କୁ ମଧ୍ୟ ଯୋଗାଇ ଦିଆଯାଇଛି। ଘରେ ଘରେ ବନ୍ଧୁକ ବଣ୍ଟା ଯାଇଥିବାରୁ ବଡ଼ ଧରଣର ଗରିଲା ଯୁଦ୍ଧ ହେବା ସଂଭାବନା ରହିଛି। କିବ୍‌ରୁ ଏବେ ମହିଳା, ଶିଶୁ ଏବଂ ୫୦ ବର୍ଷ ବୟସର ନାଗରିକଙ୍କୁ ଖାଲି କରାଇବା ପ୍ରକ୍ରିୟା ଜାରି ରହିଛି।